ଅଗଷ୍ଟ ଦ୍ବିତୀୟ ସପ୍ତାହରେ +୨ ବାଣିଜ୍ୟ ଓ ବିଜ୍ଞାନ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ଅନ୍‌ଲାଇନ୍‌ ଖାତାଦେଖା ଶେଷ ହୋଇଛି। ପ୍ରାୟ ସମସ୍ତ ଖାତା ଦେଖା ସରିଛି। ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ଫଳ ଅଗଷ୍ଟ ଦ୍ବିତୀୟ ସପ୍ତାହ ଏବଂ କଳା, ଧନ୍ଦାମୂଳ ପାଠ୍ୟକ୍ରମର ଫଳ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମର ମୂଲ୍ୟାୟନ ଅନ୍‌ଲାଇନ୍‌ରେ ହୋଇଥିଲା। ସେଥିଯୋଗୁଁ ପ୍ରଥମେ ଏହି ଦୁଇ ପାଠ୍ୟକ୍ରମର ଫଳ ପ୍ରକାଶ ପାଇବ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଖାତା ଅଫ୍‌ଲାଇନ୍‌ରେ ଦେଖାଯାଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଫଳ ପ୍ରକାଶ କରାଯିବ। କରୋନା ଯୋଗୁଁ ମାର୍ଚ୍ଚ ୨୧ରୁ ପରୀକ୍ଷା ବନ୍ଦ ହୋଇଥିବାବେଳେ ମୋଟ ୬ ଦିନର ପରୀକ୍ଷାକୁ ପରିଷଦ ପକ୍ଷରୁ ସ୍ଥଗିତ ରଖାଯାଇଥିଲା। ବହୁ ପରୀକ୍ଷା କେନ୍ଦ୍ର କ୍ବାରେଣ୍ଟାଇନ୍ ସେଣ୍ଟର ହୋଇଥିଲା। କରୋନା ସଂକ୍ରମଣ ଆଶଙ୍କାରେ ପରୀକ୍ଷା କରା ନଯାଇ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଇବାକୁ ନିଷ୍ପତ୍ତି ହୋଇଥିଲା।
ସୂଚନାଯୋଗ୍ୟ ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୩ ଲକ୍ଷ ୫୦ ହଜାର ୮ ଶହ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ୧୬୨୮ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ପାଇଁ ୧୧୪୩ ପରୀକ୍ଷା କେନ୍ଦ୍ର କରାଯାଇଥିଲା।

Comments are closed.