ଓଡ଼ିଶାକୁ ୨ କ୍ୟାବିନେଟ୍‌, ଗୋଟିଏ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଓଡ଼ିଶାର ଦୁଇ ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡ଼ୁଙ୍କୁ ସାମିଲ କରାଯାଇଛି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ଓ ମୟୁରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡ଼ୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିଛି। ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏଥର ଓଡ଼ିଆ ପ୍ରତିନିଧିତ୍ବ ୨ରୁ ୩କୁ ବଢିଥିବାବେଳେ ଗୋଟିଏ ଅଧିକ କ୍ୟାବିନେଟ୍‌ ପାହ୍ୟା ମିଳିଛି। ସେହିଭଳି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଏମ୍‌ଏସ୍‌ଏମ୍‌ଇ (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ଏବଂ ମତ୍ସ୍ୟ ଓ ପଶୁପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବାଦ୍ ଦିଆଯାଇଥିବାବେଳେ ବିଶ୍ବେଶ୍ବରଙ୍କୁ ଆଦିବାସୀ କଲ୍ୟାଣ ସହିତ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରପାହ୍ୟା ଦିଆଯାଇଛି। ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପଦରୁ ଶ୍ରୀ ଷଡ଼ଙ୍ଗୀ ଇସ୍ତଫା ପ୍ରଦାନ କରିଥିଲେ। ଶ୍ରୀ ବୈଷ୍ଣବ ହିନ୍ଦୀ ଭାଷାରେ ଓ ଶ୍ରୀ ଟୁଡ଼ୁ ଇଂରାଜୀ ଭାଷାରେ ମନ୍ତ୍ରୀ ଭାବେ ଶପଥପାଠ କରିଥିଲେ।
ଓଡ଼ିଶା ପ୍ରସଙ୍ଗରେ ଦୁଇ ମନ୍ତ୍ରୀଙ୍କୁ ସାମିଲ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜନୈତିକ ଦିଗ ଓ ସମୀକରଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ) ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶାସନିକ ଅନୁଭବ ଓ ଦକ୍ଷତାକୁ କାମରେ ଲଗାଇବାକୁ ପ୍ରଧାନମନ୍ତ୍ରୀ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ଶ୍ରୀ ବୈଷ୍ଣବ ଗତ କିଛି ଦିନ ଧରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଆର୍ଥିକ ନୀତି ପ୍ରସ୍ତୁତି ଓ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟସଭା ଆଲୋଚନାରେ ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢ଼ଙ୍ଗରେ ତଥ୍ୟ ମାଧ୍ୟମରେ ଉପସ୍ଥାପନ କରୁଥିଲେ। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଜୁଏଲ ଓରାମଙ୍କ ବିଦାୟ ତଥା ଝାଡ଼ଖଣ୍ଡ ରାଜ୍ୟପାଳ ପଦରୁ ଦ୍ରୈପଦୀ ମୁର୍ମୁଙ୍କ ଅବ୍ୟାହତି ପରେ ରାଜ୍ୟର ପ୍ରମୁଖ ଆଦିବାସୀଙ୍କ ନେତା ଭାବେ ବିଶେଶ୍ୱରଙ୍କ ଉପରେ ବିଜେପି ମୁଖିଆ ଭରସା କରିଛନ୍ତି। ଏଣିକି ରାଜ୍ୟର ତୁଙ୍ଗ ଆଦିବାସୀ ନେତା ଭାବେ ତାଙ୍କୁ ମତଦାତାଙ୍କ ଆଗରେ ବିଜେପି ଉପସ୍ଥାପିତ କରିବ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ପଶ୍ଚିମ ଓଡ଼ିଶାର କାହାରିକୁ ସ୍ଥାନ ମିଳିନି। ବିଜେପିର ୮ ଲୋକସଭା ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ।
ପ୍ରକାଶ ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ପ୍ରତାପ ଷଡ଼ଙ୍ଗୀ ବାଦ୍‍ ପଡ଼ିବେ ଏବଂ ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କୁ ନୂତନ ମନ୍ତ୍ରୀ ଭାବେ ଶପଥ ଦିଆଯିବ ବୋଲି ‘ସମାଜ’ ଜୁନ୍‌ ୧୯ ସଂସ୍କରଣରେ ପ୍ରଥମେ ପ୍ରକାଶ କରିଥିଲା।
ଅଶ୍ୱିନୀ ବୈଷ୍ଣବ
୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡ଼ର ଆଇଏସଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ୧୮ ଜୁଲାଇ ୧୯୭୦ରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଶାରେ ବଣାଇ ଉପଜିଲ୍ଲାପାଳ, ବାଲେଶ୍ୱର ଓ କଟକ ଜିଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୩ରେ କେନ୍ଦ୍ରକୁ ଯାଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଉପସଚିବ ପଦରେ ଏବଂ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଆଇଆଇଟି କାନପୁରରୁ ଏମ୍‍.ଟେକ୍‍, ଆମେରିକାର ୱାଟର୍ନ ସ୍କୁଲ ଅଫ ଇକୋନୋମିକ୍ସରୁ ଏମବିଏ ଡ଼ିଗ୍ରୀ ହାସଲ କରିବା ପରେ ଆଇଏସଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଉଦ୍ୟୋଗ (କର୍ପୋରେଟ) କ୍ଷେତ୍ରରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ୨୦୧୯ ଜୁଲାଇରେ ରାଜ୍ୟସଭାକୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ବିଶେଶ୍ୱର ଟୁଡ଼ୁ
ମୟୁରଭଞ୍ଜ ମୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପାଳର ମୂଳନିବାସୀ ବିଶେଶ୍ୱର ଟୁଡୁ ୨୮ ମାର୍ଚ୍ଚ ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ରାଉରକେଲା ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଇନ୍‍ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂରୁ ଇଲେକ୍ର୍ଟିକାଲ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ଡିପ୍ଲୋମା ହାସଲ କରିବା ପରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ ବାଲିମେଳା ପାୱାର ହାଉସରେ ଚାକିରି କରୁଥିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଇଞ୍ଜିନିୟରିଂ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ନିର୍ବାଚିତ ହୋଇଥିଲେ। ସାର ଓ ରସାୟନ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏବଂ ସଂସ୍କୃତି ଓ ପର୍ଯ୍ୟଟନ ପରାମର୍ଶଦାତା କମିଟି ସଦସ୍ୟ ଅଛନ୍ତି ସାଂସଦ ଟୁଡ଼ୁ।

Comments are closed.