ମୁକ୍ତର ଅନ୍‌ସାରୀଙ୍କ ଦୁଇଟି କୋଠା ଭଙ୍ଗାଗଲା

ଲକ୍ଷ୍ନୌ : କୁଖ୍ୟାତ ଗ୍ୟାଙ୍ଗଷ୍ଟରରୁ ଉତ୍ତରପ୍ରଦେଶର ବିଧାୟକ ହୋଇଥିବା ମୁକ୍ତର ଅନ୍‌ସାରୀଙ୍କର ଲକ୍ଷ୍ନୌର ପ୍ରମୁଖ ଅଞ୍ଚଳ ଦଲିବାଗ୍‌ଠାରେ ଥିବା ଦୁଇଟି ମୂଲ୍ୟବାନ ଅଟ୍ଟାଳିକାକୁ ପୁଲିସ ପକ୍ଷରୁ ଗୁରୁବାର ଭାଙ୍ଗି ଦିଆଯାଇଛି। ଏହା ବେଆଇନ ଭାବେ ନିର୍ମିତ ହୋଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଉଚ୍ଛେଦ ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ଉତ୍ତରପ୍ରଦେଶ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାରଙ୍କ ସୂଚନାନୁଯାୟୀ, ଏହି ଉଚ୍ଛେଦର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ରାଜ୍ୟର ସମସ୍ତ ଅପରାଧୀ ସେମାନଙ୍କ ଅପରାଧମୂଳକ କାର୍ଯ୍ୟକଳାପ ତ୍ୟାଗ କରନ୍ତୁ; ନଚେତ ଏଭଳି ଫଳ ଭୋଗିବେ ବୋଲି ସେ ବାର୍ତ୍ତା ଦେଇଛନ୍ତି। କୁମାରଙ୍କ କହିବାନୁସାରେ ଭାରତ ବିଭାଜନ ସମୟରେ ପାକିସ୍ତାନକୁ ଚାଲିଯାଇଥିବା ଲୋକଙ୍କ ଜମିକୁ ଜବରଦଖଲ ପୂର୍ବକ ମୁକ୍ତର ଏହି କୋଠା ନିର୍ମାଣ କରିଥିଲେ। ଏହି ନିର୍ମାଣ ପାଇଁ ଅନୁମତି ଦେଇଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମାଉ ନିର୍ବାଚନ ମଣ୍ଡଳୀରୁ ସମାଜବାଦୀ ପାର୍ଟି ଟିକଟରେ ବିଜୟ ହାସଲ କରିଥିବା ମୁକ୍ତରଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଲାଇସେନ୍ସକୁ ସରକାର ବାତିଲ କରିଛନ୍ତି। ଏଥିସହିତ ମୁକ୍ତରଙ୍କ ସହିତ ତାଙ୍କ ସହାଯୋଗୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନିଆଯାଇଛି।

Comments are closed.