ଗଞ୍ଜାମର ୨ ବ୍ଲକ, ୮ ସହର କରୋନା ମୁକ୍ତ

ବ୍ରହ୍ମପୁର : କରୋନାର ଦ୍ବିତୀୟ ଲହର ସମ୍ପ୍ରତି ଗଞ୍ଜାମ ଜିଲାରେ ନିୟନ୍ତ୍ରଣକୁ ଆସିଲାଣି। ଜିଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଭାବେ ହ୍ରାସ ପାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବି ସମ ଗତିରେ ବୃଦ୍ଧି ପାଉଛି। ଅନେକ ବ୍ଲକରେ କେହି ଜଣେ ହେଲେ ଆକ୍ରାନ୍ତ ଚିକିତ୍ସିତ ହେଉନାହାନ୍ତି। ଜିଲାର ୨୨ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଯାଇଛି। ସେହି ବ୍ଲକ ଦ୍ବୟ ହେଲା ଭଞ୍ଜନଗର ଏବଂ ଶେରଗଡ଼। ଉଭୟ ବ୍ଲକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। କେବଳ ଗ୍ରାମାଞ୍ଚଳ ନୁହଁ, ସହରାଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରିବାରେ ଲାଗିଛି। ଜିଲାରେ ବ୍ରହ୍ମପୁର ସମେତ ମୋଟ ୧୮ଟି ସହରାଞ୍ଚଳ ରହିଛି। ସେଥିରୁ ୮ଟି ସହରରେ କେହି ଚିକିତ୍ସାଧୀନ ଆକ୍ରାନ୍ତ ନାହାନ୍ତି। ସେହି ସହରଗୁଡ଼ିକ ହେଲା ଆସିକା, ବେଲଗୁଣ୍ଠା, ଦିଗପହଣ୍ଡି, ଗଞ୍ଜାମ, ଗୋପାଳପୁର, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର ଏବଂ ରମ୍ଭା। ଏହି ସହରଗୁଡ଼ିକଆଉ ଲାଲ୍‌ ବଳୟ ଭିତରେ ମଧ୍ୟ ନାହିଁ।
ଜିଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାର ୨୨ଟି ବ୍ଲକର ୫୦୩ଟି ପଞ୍ଚାୟତରେ ୩ହଜାର ୧୫୫ଟି ଗାଁ ରହିଛି। ଏଥିରୁ ମାତ୍ର ୧୦୧ଟି ଗ୍ରାମ ଲାଲ୍‌ ବଳୟରେ ରହିଛି। ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ବେଳକୁ ୨୫୯ଟି ଗଁା ଲାଲ୍‌ ବଳୟରେ ଥିଲା। ତା’ ପରଠୁ ଲାଲ୍‌ ବଳୟ ସଂଖ୍ୟା ହ୍ରାସ ପାଇଥିଲା। ୧୪ ତାରିଖ ବେଳକୁ ଏହା ହ୍ରାସ ପାଇ ମାତ୍ର ୧୮୫ଟି ଗ୍ରାମ ଲାଲ ବଳୟରେ ରହିଥିଲା। ଅର୍ଥାତ୯ଦିନ ମଧ୍ୟରେ ଜିଲାରେ ୮୪ଟି ଗ୍ରାମ ଲାଲ୍‌ରୁ ସବୁଜ ବଳୟକୁ ଫେରିଛି । ୧୩ଟି ବ୍ଲକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ କମ୍‌ ରହିଛି। ଯଦି ସହରାଞ୍ଚଳର ତଥ୍ୟକୁ ଦେଖାଯାଏ, ତେବେ ୩୪ଟି ୱାର୍ଡ ଲାଲ୍‌ ବଳୟରେ ରହିଛି। ଗତ ୬ତାରିଖରେ ୯୦ଟି ୱାର୍ଡ ଲାଲ୍‌ ବଳୟରେ ରହିଥିବା ବେଳେ ଗତ ୧୪ ତାରିଖ ବେଳକୁ ଏହି ସଂଖ୍ୟା ୫୮କୁ ଖସି ଆସିଥିଲା। ଗତ ୯ ଦିନ ମଧ୍ୟରେ ୨୪ଟି ୱାର୍ଡ ଲାଲରୁ ସବୁଜ ବଳୟକୁ ଫେରିଛି। ୪ଟି ସହର ଯଥା ଭଞ୍ଜନଗର, ଖଲିକୋଟ, କୋଦଳା ଏବଂ ସୋରଡ଼ାରେ ମାତ୍ର ଜଣେ ଲେଖାଏଁ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏହି ସହରଗୁଡ଼ିକ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ କରୋନା ମୁକ୍ତ ହୋଇଯିବ ବୋଲି ପ୍ରଶାସନ ଆଶା ରଖିଛି। ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨ହଜାର ୯୧୯ରେ ପହଞ୍ଚିଥିବା ବେଳେ ସେଥିରୁ ୩୨ହଜାର ୪୧୫ଜଣ ସୁସ୍ଥ ହୋଇଛନ୍ତି। ୧୭୮ଜଣଙ୍କ ଚିକିତ୍ସା ଚାଲିଛି। ୩୧୮ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.