୨୧ ସୁଦ୍ଧା ପ୍ରକାଶ ପାଇବ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଫଳ

ଭୁବନେଶ୍ବର : ଜୁନ୍ ୨୧ ସୁଦ୍ଧା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ (ଉଚ୍ଚମାଧ୍ୟମିକ ବିଦ୍ୟାଳୟ) +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ। ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଚଳିତ ମାସ ୧୯, ୨୦ କିମ୍ବା ୨୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ୍ରମେ ଫଳ ପ୍ରକାଶ ପାଇଁ ସିଏଚ୍‌ଏସ୍‌ଇ ପ୍ରସ୍ତୁତି ଚଳାଇଛି। ଚଳିତ ବର୍ଷ +୨ କଳାରେ ପାଖାପାଖି ୨.୪୫ ଲକ୍ଷ, ବାଣିଜ୍ୟରେ ୨୭,୦୦୦ ଓ ଧନ୍ଦାମୂଳକ ଶିକ୍ଷାରେ ୭,୫୦୦ ବିଦ୍ୟାର୍ଥୀ ପରୀକ୍ଷା ଦେଇଛନ୍ତି। +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବାରୁ ସୋମବାରଠାରୁ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଜୋନ କାର୍ଯ୍ୟାଳୟ ଓ ବିଦ୍ୟାଳୟକୁ ଦିଆଯିବ। ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦା ଜୋନ କାର୍ଯ୍ୟାଳୟକୁ ସିଏଚ୍‌ଏସ୍‌ଇ ପକ୍ଷରୁ ସାର୍ଟିଫିକେଟ ପଠାଯିବ। ଏହି ଜୋନ ଅଧୀନରେ ଥିବା ଜିଲାର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଜୋନ କାର୍ଯ୍ୟାଳୟରୁ ସାର୍ଟିଫିକେଟ ନେବେ। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢ଼େଙ୍କାନାଳ ଓ ଅନୁଗୋଳ ଜିଲା‌େ‌ର ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରୁ ସାର୍ଟିଫିକେଟ ନେବାର ବ୍ୟବସ୍ଥା ହୋଇଛି। ଏନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସମସ୍ତ ଜୋନ କାର୍ଯ୍ୟାଳୟ ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ମାଧ୍ୟମରେ ଜଣାଇ ଦିଆଯାଇଛି।

Comments are closed.