କାର୍ ସହ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ଘଟଣା ; ୨ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କୁ କାର୍‌ ସହ ଅପହରଣ ଉଦ୍ୟମ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କ ପୁଲିସ ଗିରଫ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ସେମାନଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବା ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଜଣେ ଘର ବାହାରେ ନିଜ କାର୍‌ ଭିତରେ ଶୋଇଥିଲେ। ଏହି ସମୟରେ ଏକ ଇନୋଭାରେ କେତେଜଣ ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ କରିନେଇଥିଲେ। ୪ ଜଣ ଦୁର୍ବୃତ୍ତ ବ୍ୟବସାୟୀଙ୍କୁ ଇନୋଭାରେ ବସାଇଥିଲେ ଏବଂ ଅନ୍ୟ ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ କାର୍‌ ଚଳାଇଥିଲେ। ଅପହରଣ ପରେ ଦୁଇଟି ଯାକ ଗାଡ଼ି ନୟାପଲ୍ଲୀରୁ ଓଭରବ୍ରିଜ ଦେଇ ରସୁଲଗଡ଼ ଅଭିମୁଖେ ଯାଇଥିଲା। ବାଣୀବିହାର ସମ୍ମୁଖରେ ଓଭରବ୍ରିଜ ଉପରେ ଆରଟିଓ ଏବଂ ସହିଦନଗର ପୁଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା। ଏହା ଦେଖି ଦୁର୍ବୃତ୍ତମାନେ ଗାଡ଼ିକୁ ପଛୁଆ ନେଇଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ କାର୍‌ଦ୍ବୟକୁ ଧକ୍କା ଦେବା ଫଳରେ ସିରିଜ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପୁଲିସ ଏବଂ ଆରଟିଓ କର୍ମଚାରୀ ସେଠାକୁ ଯାଇଥିଲେ। ପୁଲିସକୁ ଦେଖି ଅପହର୍ତ୍ତାମାନେ କାରରୁ ବାହାରି ଦୌଡ଼ି ପଳାଇଥିଲେ। ଇନୋଭାରେ ଜଣେ ବ୍ୟକ୍ତି ବସି ଭୟରେ ଥରୁଥିବା ପୁଲିସ କର୍ମଚାରୀ ଦେଖିବାକୁ ପାଇଥିଲେ। ତାଙ୍କୁ ପଚରାଉଚରା କରିବା ପରେ ସେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ। ପରେ ପୁଲିସ ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହିତ କାର୍‌ ୨ଟିକୁ ଜବତ କରିଥିଲା। କାରରୁ ୨ଟି ବନ୍ଧୁକ ମଧ୍ୟ ମିଳିଥିଲା। ପଛରୁ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭର ମଧ୍ୟରେ ଭୟରେ ଖସି ପଳାଇଥିଲା। ପୁଲିସ ୩ଟି ଯାକ ଗାଡ଼ିକୁ ସହିଦନଗର ଥାନାକୁ ଆଣିଥିଲା। ପରେ ବ୍ୟବସାୟୀଙ୍କୁ ତାଙ୍କ ଘରେ ଛାଡ଼ିଥିଲା। ଶନିବାର ସକାଳେ ଉକ୍ତ ବ୍ୟବସାୟୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।

Comments
Loading...