ଯୁକ୍ତ ଦୁଇ ନାମଲେଖା ପାଇଁ ତଥ୍ୟ ଲୋଡିଲା ନିର୍ଦ୍ଦେଶାଳୟ

- ୭ ସୁଦ୍ଧା ଇ-ସ୍ପେସରେ ଅପଲୋଡ୍ କରିବେ କଲେଜ କର୍ତ୍ତୃପକ୍ଷ

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ କେନ୍ଦ୍ରୀୟ ବୋର୍ଡ ସମେତ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଯୁକ୍ତଦୁଇ ନାମଲେଖା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନାମଲେଖା ପାଇଁ ଆବଶ୍ୟକ ତଥ୍ୟ ଲୋଡିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ। ସବୁ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ସାମ୍ସ ଭାରପ୍ରାପ୍ତ ଅଧିକାରୀ ଡ.ଭାଗୀରଥି କାଣ୍ଡି ଚିଠି ଲେଖିଛନ୍ତି।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କ ନାମଲେଖା ଦେୟ ସହ ଟିଉସନ ଫି ଭଳି ସବିଶେଷ ତଥ୍ୟ ପ୍ରଦାନ କରିବେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ନାମ ସହ ଫୋନ୍ ନମ୍ବର, ନାମଲେଖା ଦାୟିତ୍ବରେ ଥିବା ଅଧ୍ୟାପକଙ୍କ ସୂଚନା ଓ ହଷ୍ଟେଲ ତାଲିକା ଭଳି ସମସ୍ତ ତଥ୍ୟ କର୍ତ୍ତୃପକ୍ଷ ସାମ୍ସ ଇ-ସ୍ପେସ୍ ଜରିଆରେ ଅପଲୋଡ୍ କରିବେ। ଆସନ୍ତା ୭ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ସମସ୍ତ ତଥ୍ୟ ପ୍ରଦାନ କରିବେ ଶିକ୍ଷାନୁଷ୍ଠାନ। କେଉଁ ପାଠ୍ୟକ୍ରମ ପାଇଁ କେତେ ସିଟ୍ ରହିଛି ତାର ମଧ୍ୟ ତଥ୍ୟ ସାମ୍ସ ୱେବ୍ସାଇଟରେ ରହିବ। ଏହାଦ୍ବାରା ନାମଲେଖା ସମୟରେ ବିଦ୍ୟାର୍ଥୀ ସହଜରେ ସମସ୍ତ ତଥ୍ୟ ପାଇପାରିବେ।

ଚଳିତ ବର୍ଷ ସାମ୍ସ ଜରିଆରେ ଅନ୍ଲାଇନରେ ଆବେଦନ କରାଯିବ। ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ଆବେଦନ ପକ୍ରିୟା ଆରମ୍ଭ କରିବାକୁ ଯୋଜନା ରହିଛି। ତେବେ ଯେଉଁ କନିଷ୍ଠ ମହାବିଦ୍ୟାଳୟ ଆସନ୍ତା ୭ ତାରିଖ ସୁଦ୍ଧା ତଥ୍ୟ ପ୍ରଦାନ ନକରିବେ ସେମାନେ ନାମଲେଖା ପ୍ରକ୍ରିୟାରୁ ଚଳିତ ବର୍ଷ ବାଦ ପଡ଼ିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

Comments are closed.