୩୭ ବର୍ଷ ତଳେ ହୋଇଥିବା ବିମାନ ଅପହରଣର ଦୁଇ ଅଭିଯୁକ୍ତଙ୍କୁ  ଖଲାସ କଲେ ଅଦାଲତ

0

ନୂଆଦିଲ୍ଲୀ.-  ୧୯୮୧ ମସିହାରେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ ମାମଲାରେ ଦୁଇ ଜଣ ଅଭିଯୁକ୍ତୁଙ୍କୁ ଦିଲ୍ଲୀରେ ଏକ ଅଦାଲତ ନିର୍ଦୋଷରେ ଖଲାସ କରିଛନ୍ତି ।  ଖଲିସ୍ତାନ ସମର୍ଥକ ଏହି ଦୁଇଜଣ ୧୯୮୧ ମସିହାରେ ଏୟାର ଇଣ୍ଡିଆର ଏକ ବିମାନକୁ ପାକିସ୍ତାନର ଲାହୋରକୁ ଅପହରଣ କରି ନେଇଥିଲେ ।

ଦେଶ  ବିରୁଦ୍ଧରେ ବିଦ୍ରୋହ କରିବା ଅଭିଯୋଗରେ ଏମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତେଜିନ୍ଦର ପାଲ ସିଂ ଓ ସତନାମ ସିଂଙ୍କୁ ଏହି ଅଭିଯୋଗରେ ପାକିସ୍ତାନରେ ଆଜୀବନ କାରାଦଣ୍ଡ ହୋଇଥିଲା । ୨୦୦୦ ମସିହାରେ ସେମାନେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ଭାରତକୁ ପ୍ରତ୍ୟାର୍ପଣ କରାଯାଇଥିଲା ।

ଏମାନେ ଅପହରଣ କରିଥିବା ବିମାନରେ ୧୧୧ ଜଣ ଯାତ୍ରୀ ଓ ୬ଜଣ ବିମାନ କର୍ମଚାରୀ ଥିଲେ ।  ୫ ଜଣ ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଛୁରି ଦେଖାଇ ବିମାନକୁ ଅପରହଣ କରିଥିଲେ । ଲାହୋରରେ ପାକିସ୍ତାନୀ କମାଣ୍ଡୋମାନେ ୪୫ ଜଣ ଯାତ୍ରୀଙ୍କୁ  ଅପହରଣକାରୀଙ୍କ ଠାରୁ ଛଡାଇଥିଲେ। ଏହା ପୂର୍ବରୁ ସେମାନେ ୬୦ ଜଣଙ୍କୁ ଛାଡି ଦେଇଥିଲେ ।

ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମିରିନ୍ଦର ସିଂ ଗତ ବର୍ଷ ଏମାନଙ୍କୁ ଆଇନଗତ ସହଯୋଗ ଯୋଗାଇ ଦେବା ପାଇଁ  ରାଜ୍ୟର ଆଇନ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଥିଲେ । ଅପହରଣ କରିବା ଅତି ନିନ୍ଦନୀୟ କାର୍ଯ୍ୟ ମାତ୍ର ଏହି ଅପରାଧ ପାଇଁ ସେମାନେ ଆଜୀବନ କାରାଦଣ୍ଡ ପାଇଥିବାରୁ ସେମାନଙ୍କୁ ଆଉଥିରେ ଦଣ୍ଡିତ କରାଯିବା ଉଚିତ୍‌ ନୁହେଁ ବୋଲି କହିଥିଲେ।

Leave A Reply