ବାଇକ ଡ଼ିକି ରୁ ୨.୮୦ ଲକ୍ଷ ଲୁଟ୍ ଅଭିଯୋଗ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଶାସ୍ତ୍ରୀ ଛକ ନିକଟରେ ମୁରିବାହାଲ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ବାଇକ ଡ଼ିକିରୁ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।  ସୂଚନା ଅନୁଯାୟୀ ମୁରିବାହାଲ ଥାନା ଅନ୍ତର୍ଗତ ବାହାଡୁକି ଗ୍ରାମର ସାଗର ସାହୁ ଆଜି କଣ୍ଟାବାଞ୍ଜି ଫେଡ଼ରାଲବ୍ୟାଙ୍କ ଶାଖାରୁ ଅପରାହ୍ନରେ ଦୁଇ ଲକ୍ଷ ଅଶି ହଜାର ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ଘରକୁ ବାହାରିଥିଲେ। ଶାସ୍ତ୍ରୀ ଛକ ରାସ୍ତା କଡ଼ରେ ବାଇକ ରଖି ଏକ ତେଜରାତି ଦୋକାନକୁ ଚା’ ପତି କିଣିସାରିବା ପରେ, ବାଇକ ଡ଼ିକି ଖୋଲି ଚାପତି ପୁଡିଆ ରଖିବାବେଳେ ବ୍ୟାଗସହ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। ବହୁ ଖୋଜାଖୋଜି ପରେ, ସନ୍ଧ୍ୟାରେ ଥାନାରେ ଲିଖିତ ଏତଲା ଦେଉଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶାସ୍ତ୍ରୀ ଛକ ସିସି କ୍ୟାମେରା ଯାଞ୍ଚ କରିବା ସହିତ ଫେଡ଼ରାଲ ବ୍ୟାଙ୍କ ଯାଇ ଅନୁସନ୍ଧାନ ଜାରୀ ରଖି ଥିବା ଜଣାପଡିଛି। ସାଗରଙ୍କ କହିବା ଅନୁସାରେ ଟଙ୍କା ଉଠାଣ ବେଳେ ଜଣେ ଯୁବକ ତାଙ୍କ ଉପରେ ନିଘା ରଖିଥିଲା, ତେଣୁ ସେ ଯୁବକ ଟଙ୍କା ଲୁଟ କରିଥିବା ସେ ସନ୍ଦେହ କରୁଥିବା ପ୍ରକାଶ କରିଛନ୍ତି।

Comments are closed.