ଅଢ଼େଇ ହଜାର କୋଟିର ଚୋରା ନିଶା ଦ୍ରବ୍ୟ ଜବତ

ନୂଆଦିଲ୍ଲୀ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ଦଳ ଆଫଗାନିସ୍ତାନରୁ ଭାରତ, ଆମେରିକା ଓ ୟୁରୋପ ପର୍ଯ୍ୟନ୍ତ ଲମ୍ବିଥିବା ଏକ ଆନ୍ତର୍ଜାତିକ ନିଷିଦ୍ଧ ନିଶା ଦ୍ରବ୍ୟ ଚୋରା କାରବାର ଉପରୁ ପରଦା ହଟାଇଛି। ଶନିବାର ପୁଲିସ ଫରିଦାବାଦ ନିକଟରୁ ୩୫୪କିଲୋ ଓଜନର ହେରାଇନ୍‌ ଜବତ କରିଛି; ଯାହାର ମୂଲ୍ୟ ପ୍ରାୟ ୨୫୦୦କୋଟି ଟଙ୍କା ହେବ। ଏଥିସହିତ ନିଶା ଦ୍ରବ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ୧୦୦କିଲୋରୁ ଅଧିକ ରାସାୟନିକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ କାଶ୍ମୀରର ଅନନ୍ତନାଗଠାରେ ବାସ କରୁଥିବା ଜଣେ ଆଫଗାନିସ୍ତାନ ନାଗରିକ ହଜରତ ଅଲୀ ରହିଛି। ଅନ୍ୟ ତିନିଜଣ ହେଉଛନ୍ତି ହରିୟାଣାର ରିଜୱାନ ଅହମଦ ଏବଂ ପଞ୍ଜାବର ଜଳନ୍ଧର ବାସିନ୍ଦା ଗୁରଜୋତ୍‌ ସିଂହ ଓ ଗୁରଦୀପ ସିଂହ। ସେମାନେ ନିଶା ଆତଙ୍କବାଦ ସହିତ ସମ୍ପୃକ୍ତ ଥିବା ପୁଲିସ ସ​‌େ​‌ନ୍ଦହ କରୁଛି। ପର୍ତ୍ତୁଗାଲରେ ରହୁଥିବା ପଞ୍ଜାବର ନବପ୍ରୀତ ସିଂହ ଏହି କାରବାରର ମୁଖ୍ୟ ବୋଲି ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ପ୍ରକୋଷ୍ଠର ମୁଖ୍ୟ ନୀରଜ ଠାକୁର କହିଛନ୍ତି।
ଜବତ ହେରୋଇନ୍‌ ଓ ରାସାୟନିକ ସାମଗ୍ରୀ ଲୁକ୍କାୟିତ ଭାବେ ଜରି ଓ ଅଖା ବ୍ୟାଗ୍‌ ତଥା କାଗଜ ପେଟି ଭିତରେ ଏବଂ ପ୍ଲାଷ୍ଟିକ ଡବାରେ ଚାଲାଣ ହେଉଥିଲା। ଇରାନ୍‌ର ଚାବାହର ବନ୍ଦର ଓ ଜବାହର ଲାଲ ନେହରୁ ବନ୍ଦର ଦେଇ ମୁମ୍ବଇ ଯାଉଥିଲା। ମୁମ୍ବଇରେ ପହଞ୍ଚିବା ପୂର୍ବରୁ ମଧ୍ୟପ୍ରଦେଶର ଶିବପୁରୀସ୍ଥିତ ଏକ କାରଖାନାରେ ଆବଶ୍ୟକ ପ୍ରସ୍ତୁତି ହେବାର ଥିଲା। ଏଥିପାଇଁ ଆଫଗାନିସ୍ତାନରୁ ଆସିଥିବା ବିଶେଷଜ୍ଞ ଅପେକ୍ଷା କରିଥିଲେ। ପରେ ଏଗୁଡ଼ିକ ଦିଲ୍ଲୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଜାମ୍ମୁ-କାଶ୍ମୀରରେ ବିକ୍ରୟ ହେବାର ଯୋଜନା ଥିଲା ବୋଲି ଠାକୁର କହିଛନ୍ତି। ଏହା ପଛରେ ପାକିସ୍ତାନର ହାତ ଥିବା ଓ ସେଠାରୁ ଏହି ଚୋରା କାରବାର ପାଇଁ ପାଣ୍ଠି ଯୋଗାଣ ହେଉଥିବା ସେ ସୂଚନା ଦେଇଛନ୍ତି। ଏହି କାରବାର ପଛରେ ରହିଥିବା ଆଉ କିଛି ଲୋକଙ୍କୁ ପୁଲିସ ଖୋଜୁଥିବା ସେ କହିଛନ୍ତି। ଏହା ସବୁଠୁ ବଡ଼ ଧରଣର ନିଶା ଦ୍ରବ୍ୟ ଜବତ ଘଟଣା ବୋଲି ସେ ଦର୍ଶାଇଛନ୍ତି। ଗତ ମାସରେ ଦିଲ୍ଲୀ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ୨୪୫କିଲୋ ଓଜନର ହେରୋଇନ୍‌ ଓ ୨୨ଲକ୍ଷ ଟଙ୍କାର ନିଶା ବଟିକା ଜବତ ସହ ଏହି ଘଟଣାରେ ୮ଜଣଙ୍କୁ ଗିରଫ କରାଯାଇଥିଲା।

Comments are closed.