ପାରାଦୀପ ସମୁଦ୍ରରୁ ପ୍ରଥମ ବିରଳ ପ୍ରଜାତିର କାଦୁଅ କୁଚିଆ ମାଛ ଠାବ

ଗୋପାଳପୁର: ବଙ୍ଗୋପସାଗର ତଥା ଓଡ଼ିଶାର ପାରାଦୀପ ସମୁଦ୍ରରୁ ଏକ ନୂଆ ପ୍ରଜାତିର ବିରଳ ମାଛକୁ ଜୁନ ୨୦୧୯ ମସିହାରେ ସେଠାକାର ମତ୍ସ୍ୟଜୀବୀ ଶଙ୍କର ବେଜ ମାଛ ମାରୁଥିବା ବେଳେ ଜାଲରେ ପଡ଼ିଥିଲା । ଏହି ମାଛକୁ ଗୋପାଳପୁର ଜେଡ ଏସଆଇ  ସ୍ୱରୂପ ରଞ୍ଜନ ମହାନ୍ତି ଗୋପାଳପୁର ସ୍ଥିତ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରକୁ ଆଣିଥିଲେ। ପରୀକ୍ଷା ନିରୀକ୍ଷା ପରେ ଏହି ମାଛ ପ୍ରଥମ ଥର ନିମନ୍ତେ ବଙ୍ଗୋପସାଗର ତଥା ଭାରତୀୟ ସମୁଦ୍ରରେ ଦେଖାଦେଇଥିବା ଜଣାପଡ଼ିବା ସହ ଏହା କାଦୁଅ କୁଚିଆ ତଥା ଡାଏଫେନ୍ ଚେଲେସ ଡ଼ାଲମଟିଆନ୍ ମାଛ ବୋଲି ଜଣାପଡିଥିଲା।

ଏହି ମାଛ ଉଦ୍ଧାର ପରେ ଗୋପାଳପୁର ସ୍ଥିତ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ବୈଜ୍ଞାନିକ ଡ.ଅନିଲ ମହାପାତ୍ର ଏବଂ ସ୍ୱରୂପ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ଦ୍ଵାରା ଏହା ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା ନିରୀକ୍ଷା ସମୟରେ ଏହି ବିରଳ ମାଛ ପ୍ରଥମେ ୨୦୧୯ ପୂର୍ବରୁ ଥାଇଲାଣ୍ଡ ଉପକୂଳ ଅଳରେ ଚିହ୍ନଟ କରାଯାଇଥିଲା। ଏହା ପରେ ଏହି ପ୍ରଜାତିର ମାଛ ବଙ୍ଗୋପସାଗର ସମୁଦ୍ର ତଥା ଭାରତରେ ପ୍ରଥମଥର ଏବଂ ଓଡ଼ିଶାରେ ପ୍ରଥମ ଥର ଠାବ ହୋଇଥିବା ଜଣାପଡିଥିଲା ବୋଲି ବୈଜ୍ଞାନିକ ଡଃ ମହାପାତ୍ର ସୂଚନା ଦେଇଛନ୍ତି ।

ଏଥି ସହ ଏହି ମାଛ ଟି ୨୦୧୯ ଜୁନ ମାସ ପରେ ଆଉ କୈାଣସି ଅଞ୍ଚଳରେ ଦେଖିବାକୁ ମିଳିନାହିଁ । ଏହା ମଧ୍ୟରେ ଗୋପାଳପୁର ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ମାଛର ପରୀକ୍ଷା ରିପୋର୍ଟକୁ ଅନ୍ତଃରାଷ୍ଟ୍ରୀୟ ଜୋନାଲ( ଅପଲାଇଡ୍ ଇଚଥେଓଲ) କୁ ପଠାଯାଇଥିଲା। ଏହି ରିପୋର୍ଟଟି ଆଜି ଏହି ଅନ୍ତଃରାଷ୍ଟ୍ରୀୟ ଜୋନାଲରେ ପ୍ରକାଶିତ ହେବା ସହ ପଞ୍ଜିକୃତ ହୋଇଥିବା ଡ଼ ମହାପାତ୍ର ପ୍ରକାଶ କରିଛନ୍ତି।

ଏହି ବିରଳ ପ୍ରଜାତିର ମାଛର ନାମ କାଦୁଅ କୁଚିଆ । ଏହାର  ଲମ୍ବ ୪୩୯ ମିଲି ମିଟର ହୋଇଥିବା ବେଳେ ଏହାର ରଙ୍ଗ ଧଳା ସହ ମାଟିଆ ଛିଟ ପଡ଼ିଥାଏ, ଚିକ୍କଣ ଦେହ, ଦାନ୍ତ ମୁନିଆ ସହ ଶକ୍ତ ଅଟେ। ଏମାନେ ସମୁଦ୍ର ରେ ଥିବା ଛୋଟ ଛୋଟ ଗୁଳ୍ମ ଏବଂ ଛୋଟ ଛୋଟ ସାମୁଦ୍ରିକ ଜୀବ ଖାଇଥାନ୍ତି। ଏମାନେ ବିଷାକ୍ତ ନୁହନ୍ତି, ଏମାନଙ୍କୁ ମଣିଷ ମଧ୍ୟ ଖାଇଥାନ୍ତି। ଏମାନଙ୍କ ମେରୁ ଦଣ୍ଡ ରେ ୧୩୨ ଖଣ୍ଡ ହାଡ଼ ରହିଥାଏ, ଏମାନଙ୍କ ର ମୁଣ୍ଡ ଚେପଟା ଓ ଟାଣ ଥାଏ ଏମାନେ ସମୁଦ୍ର ଗଭୀର କାଦୁଆ ସ୍ଥାନରେ ରହିଥାନ୍ତି ।ଏହା ସହ ଏହି ମାଛକୁ ଇଂରାଜୀରେ ମଡ ମୋର ଏବଂ ସ୍ଥାନୀୟ ଭାଷାରେ କାଦୁଅ କୁଚିଆ ମାଛ ବୋଲି କୁହାଯାଇଥାଏ ବୋଲି ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି।

Comments are closed.