ପ୍ରମୁଖ ନେତାଙ୍କ ଭାଗ୍ୟ ପରୀକ୍ଷା : ଅଧିକାଂଶ ଆସନରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର  : ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଗୁରୁବାର ନିର୍ବାଚନ। ତୁମୁଳ ପ୍ରତିଯୋଗିତା ଭିତରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମତଦାନ ପ୍ରକ୍ରିୟାରେ ୬୦ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ପାଞ୍ଚ ବର୍ଷ ବ୍ୟବଧାନରେ ଆୟୋଜିତ ନିର୍ବାଚନ ଅତୀତର ସବୁ ନିର୍ବାଚନକୁ ଟପିଯିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଥିବାବେଳେ ରାଜ୍ୟ ରାଜନୀତିରେ ପ୍ରମୁଖ ଭୁମିକାରେ ରହୁଥିବା ଅନେକ ନେତାଙ୍କର ଆସନ୍ତାକାଲି ହେବ ଭାଗ୍ୟ ପରୀକ୍ଷା। ଲୋକସଭା ପାଇଁ ନିର୍ବାଚନ ଲଢ଼ୁଥିବା ବିଜେଡ଼ିର ରମେଶଚନ୍ଦ୍ର ମାଝି ଓ ଚନ୍ଦ୍ର​ଷଶ‌ଶଖର ସାହୁ, ପୁ​ଷ୍ପେନ୍ଦ୍ର ସିଂହଦେଓ, କଂଗ୍ରେସର ଭକ୍ତ ଦାସ, ପ୍ରଦୀପ ମାଝି ଏବଂ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ଭୃଗୁ ବକ୍ସିପାତ୍ର ନିର୍ବାଚନର ସମ୍ମୁଖୀନ ହେବେ। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ୪ଟି ଲୋକସଭା ଆସନ ଭିତରୁ କଳାହାଣ୍ଡି ଆସନଟି ଏବେ ରାଜନୈତିକ ଦୃଷ୍ଟିରୁ ସବୁଠୁ ସ୍ପର୍ଶକାତର ଆସନ ଭାବେ ଗଣାଯାଉଛି। ଏଠାରେ ତ୍ରିମୁଖୀ ପ୍ରତିଯୋଗିତା ପ୍ରାୟ ସ୍ପଷ୍ଟ ବାରିହେଉଛି। ଏହି ଆସନରେ ବିଜେଡ଼ିରୁ ବିଧାୟକ ପୁ​ଷ୍ପେନ୍ଦ୍ର ସିଂହଦେଓ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ତାଙ୍କ ବିପକ୍ଷରେ ଅଛନ୍ତି କଂଗ୍ରେସର ବରିଷ୍ଠ ନେତା ଭକ୍ତଚରଣ ଦାସ ଏବଂ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା। ସେହିପରି ନବରଙ୍ଗପୁର ଆସନରେ ୨୦୧୪ରେ ବଳଭଦ୍ର ମାଝି ବିଜେଡ଼ି ଟିକଟରେ ବିଜୟୀ ହୋଇଥିବାବେଳେ ଏଥର ସେ ଟିକଟରୁ ବଞ୍ଚିତ ହୋଇ ବିଜେପିରୁ ଲଢ଼ୁଛନ୍ତି। ବିଜେଡ଼ିରୁ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ରମେଶଚନ୍ଦ୍ର ମାଝି ଏବଂ କଂଗ୍ରେସରୁ ଲଢ଼ୁଛନ୍ତି ପ୍ରଦୀପ ମାଝି।


କୋରାପୁଟ ଆସନରୁ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କ ସହିତ ବିଜେପିର ଜୟରାମ ପାଙ୍ଗି ଏବଂ କଂଗ୍ରେସର ସପ୍ତଗିରି ଉଲାକାଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବାର ସମ୍ଭାବନା ରହିଛି। ବ୍ରହ୍ମପୁର ଆସନରେ ଏଥର କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବିଜେପିର ଭୃଗୁ ବକ୍ସିପାତ୍ରଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଏଠାରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଭି.ଚନ୍ଦ୍ରଶେଖର ନାଇଡ଼ୁ।
ସେହିପରି ବିଧାନସଭା କ୍ଷେତ୍ରରେ ଅର୍ଦ୍ଧାଧିକ ଆସନରେ ତ୍ରିମୁଖୀ ପ୍ରତିଯୋଗିତାର ସମ୍ଭାବନା ରହିଛି। ବି‌େଶ‌ଷ କରି ଭବାନୀପାଟଣା ଆସନରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶି ପ୍ରାର୍ଥୀ ହୋଇଥିବା ଦୁଷ୍ମନ୍ତ ନାୟକଙ୍କ ସହିତ ମୁକାବିଲା କରିବେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଭକ୍ତଙ୍କ ପୁଅ ସାଗର ଚରଣ ଦାସ ଏବଂ ବିଜେପି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାୟକ।
ନର୍ଲା ବିଧାନସଭା ଆସନ ପାଇଁ ବିଜେଡ଼ିରୁ ଭୂପିନ୍ଦର ସିଂହ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ଅନିରୁଦ୍ଧ ପ୍ରଧାନ ଏବଂ କଂଗ୍ରେସର ଚିତ୍ତରଞ୍ଜନ ମଣ୍ଡଳ। ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ବିକ୍ରମକୁମାର ପଣ୍ଡା ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କଂଗ୍ରେସର ଲିଙ୍ଗରାଜ ଚୌଧୁରୀ ଏବଂ ବିଜେପିର କାହ୍ନୁଚରଣ ପତି।
ଦିଗପହଣ୍ଡିରେ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିରୋଧରେ ଲଢ଼ୁଛନ୍ତି ବିଜେପି ପ୍ରାର୍ଥୀ ଅଭିନେତ୍ରୀ ପିଙ୍କି ପ୍ରଧାନ ଏବଂ କଂଗ୍ରେସରୁ ପ୍ରଫୁଲ୍ଲ ପଣ୍ଡା। ଚିକିଟିରେ ବିଜେଡ଼ିରୁ ପୁଣି ଥରେ ଉଷା ଦେବୀ ନିର୍ବାଚନକୁ ଓହ୍ଲାଇଥିବାବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେପିର ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏବଂ କଂଗ୍ରେସର ସୁବାସ ରାଉତ।
ଜୟପୁରରେ ଜୋରଦାର ଲଢ଼େଇ ହେବ। ଏଠାରେ କଂଗ୍ରେସର ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି ଓ ବିଜେଡ଼ିର ରବି ନନ୍ଦଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଏହାଛଡ଼ା ୨୦୧୪ ନିର୍ବାଚନରେ କୋରାପୁଟରେ କଂଗ୍ରେସ ଟିକଟରେ ଲଢ଼ି ବିଧାୟକ ହୋଇଥିବା କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଛାଡ଼ି ଏବେ ବହୁଜନସମାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ସେ ମଧ୍ୟ ଏ ଲଢ଼େଇରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି।
ପାରଳାଖେମୁଣ୍ଡିରେ ନୂଆ କରି ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା କଲ୍ୟାଣୀ ଗଜପତି ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରୁ ପ୍ରାର୍ଥୀ ହୋଇଥିବା କେ ନାରାୟଣ ରାଓଙ୍କ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରୁଛନ୍ତି। କଂଗ୍ରେସରୁ ଏଠାରୁ ପ୍ରାର୍ଥୀ ହୋଇଛନ୍ତି କେ.ସୂର୍ଯ୍ୟ ରାଓ। ରାୟଗଡ଼ାରୁ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ଲାଲବିହାରୀ ହିମିରିକା ଏଥର ବିଜେପି ପ୍ରାର୍ଥୀ ବସନ୍ତ ଉଲାକା ଏବଂ କଂଗ୍ରେସର କାଡ଼୍ରାକା ଆପାଲସ୍ବାମୀଙ୍କ ସହିତ ମୁକାବିଲା କରିବେ।
ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଭାବେ ଗଣାଯାଉଥିବା ଚିତ୍ରକୋଣ୍ଡା ଆସନରେ ବିଜେଡ଼ିରୁ ପୂର୍ଣ୍ଣଚନ୍ଦ୍ର ବାକା ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ସହିତ ବିଜେପିରୁ ପଦୁ ମାଝି ଏବଂ କଂଗ୍ରେସରୁ ଲକ୍ଷ୍ମୀପ୍ରିୟା ନାୟକ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି ମାଲକାନଗିରିରେ ବିଜେପି ଛାଡ଼ି ବିଜେଡ଼ିରେ ମିଶିଥିବା ମୁକୁନ୍ଦ ସୋଡ଼ିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ସେ ଏଥର କଂଗ୍ରେସର ମାଲା ମାଢ଼ି ଏବଂ ବିଜେପିର ଆଦିତ୍ୟ ମାଢ଼ିଙ୍କ ସହିତ ତ୍ରିମୁଖୀ ପ୍ରତିଯୋଗିତାର ସାମ୍ନା କରିବେ। ଗୁଣୁପୁରରୁ ଏଥର ବିଜେଡ଼ିରୁ ରଘୁନାଥ ଗମାଙ୍ଗୋ ପ୍ରାର୍ଥୀ ହୋଇଥିବାବେଳେ ବିଜେଡ଼ି ଛାଡ଼ି ବିଜେପିରେ ମିଶିଥିବା ଶିଶିର ଗମାଙ୍ଗୋଙ୍କ ସହିତ ତାଙ୍କର ଲଢ଼େଇ ହେବାର ସମ୍ଭାବନା ରହିଛି। ଏଠାରୁ କଂଗ୍ରେସରୁ ଲଢ଼ୁଛନ୍ତି ପୁରୁଷୋତ୍ତମ ଗମାଙ୍ଗ। ଲାଞ୍ଜିଗଡ଼ରୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ପ୍ରଦୀପ କୁମାର ଦିସାରୀ ପ୍ରାଥୀ ହୋଇଥିବାବେଳେ ଏଠାରେ ତାଙ୍କ ସହିତ କଂଗ୍ରେସ ଶିବାଜୀ ମାଝିଙ୍କ ସହିତ ପ୍ରତ୍ୟକ୍ଷ ମୁକାବିଲାର ସମ୍ଭାବନା ରହିଛି। ତଥାପି ବି​ଜେ‌ପି ପ୍ରାର୍ଥୀ ହୋଇଥିବା ରମେଶଚନ୍ଦ୍ର ମାଝି ମଧ୍ୟ ଏଠାରେ ନିର୍ଣ୍ଣାୟକ ଭୂମିକାରେ ରହିବେ। ସେହିପରି ଜୁନାଗଡ଼ରେ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେଡ଼ି ପୁଣି ପ୍ରାର୍ଥୀ କରିଥିବାବେଳେ ତାଙ୍କ ସହିତ କଂଗ୍ରେସର ଅନିଲ ସିଂହ ଏବଂ ବିଜେପିରୁ ମନୋଜ ‌‌କୁମାର ମେହେର ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

Comments are closed.