ଆଜି ବିହାର ପ୍ରଥମ ପର୍ଯ୍ୟାୟ ଭୋଟ

୧୬ଟି ଜିଲ୍ଲାର ୭୧ଟି ନିର୍ବାଚନମଣ୍ଡଳୀରେ ମତଦାନ

ପାଟନା : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ମତଦାନ ଅନୁଷ୍ଠିତ ହେଉଛି। ସହଜ ଏବଂ ସୁରକ୍ଷିତ ମତଦାନ ଲାଗି ୧୬ଟି ଜିଲ୍ଲାର ୭୧ଟି ନିର୍ବାଚନମଣ୍ଡଳୀରେ ସମସ୍ତ  ପ୍ରସ୍ତୁତି ଶେଷ ହୋଇଛି। କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ଏହି ନିର୍ବାଚନ ଦେଶରେ ପ୍ରଥମ। ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମତଦାନ ସମୟରେ କଡ଼ାକଡ଼ି ଭାବେ ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବ୍ୟକ୍ତିଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ମତଦାନ ସମୟରେ ସମସ୍ତ ସ୍ଥାନରେ ସାନିଟାଇଜର ଉପଲବ୍ଧ କରାଯିବ।

ଇତି ମଧ୍ୟରେ ସମସ୍ତ ମତଦାନ କେନ୍ଦ୍ରକୁ ବିଶୋଧନ କରାଯାଇଛି। କରୋନା ମହାମାରୀଙ୍କୁ ଦୃଷ୍ଟିରେ ରଖି ପ୍ରତି କେନ୍ଦ୍ରରେ ୧୦୦୦ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସମସ୍ତ ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହିତ ମତଦାନ ପାର୍ଟି ପହଞ୍ଚି ସାରିଛନ୍ତି। ତେବେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୂର୍ଯ୍ୟୋଦୟ ପୂର୍ବରୁ ସମ୍ପୃକ୍ତ ମତଦାନ ବୁଥରେ ପହଞ୍ଚିବାକୁ ମତଦାନ ପାର୍ଟିକୁ ନିର୍ଦ୍ଦେଶ ଦିଆଯାଇଛି। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍.ଆର. ଶ୍ରୀନିବାସ କହିଛନ୍ତି ଯେ ୭୧ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୩୫ଟି ନକ୍ସଲ ପ୍ରଭାବିତ ଅଞ୍ଚଳ ରହିଛି ଯେଉଁଠାରେ ମତଦାନ ସନ୍ଧ୍ୟା ୬ଟା ପରିବର୍ତ୍ତେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହେବ। ଚେନପୁର, ନବିନଗର, କୁଟୁମ୍ବା ଏବଂ ରାଫିଗଞ୍ଜର ଚାରିଟି ନକ୍ସଲ ପ୍ରଭାବିତ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୩ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ଅନ୍ୟ ପାଞ୍ଚଟି ନକ୍ସଲ ପ୍ରଭାବିତ ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା ୫ଟା ଓ ଅବଶିଷ୍ଟ ୨୬ଟି ନକ୍ସଲ ପ୍ରଭାବିତ ନିର୍ବାଚନ ମଣ୍ଡଳୀରେ ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ।

ଆଜିର ନିର୍ବାଚନରେ ୨ କୋଟି ୧୪ ଲକ୍ଷରୁ ଅଧିକ ଭୋଟର ୧ ହଜାର ୬୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ। ଏହି ପର୍ଯ୍ୟାୟରେ ଆଠ ଜଣ କ୍ୟାବିନେଟ ମନ୍ତ୍ରୀ ପ୍ରେମ କୁମାର, ରାମ ନାରାୟଣ ମଣ୍ଡଳ, ଜୟ କୁମାର ସିଂହ, କୃଷ୍ଣ ନନ୍ଦନ ବର୍ମା, ଶୈଳେଶ କୁମାର, ସନ୍ତୋଷ କୁମାର ନିରାଲା, ବିଜୟ କୁମାର ସିହ୍ନା ଏବଂ ବ୍ରିଜ କିଶୋର ବିନ୍ଦଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍ ରାମ ମାନଝି ଇମାମଗଂଜ ନିର୍ବାଚନ ମଣ୍ଡଳୀରୁ ଏନଡିଏ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆରଜେଡି ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀଙ୍କୁ ଶ୍ରୀ ମାନଝିଙ୍କ ବିରୁଦ୍ଧରେ ଛିଡ଼ା କରାଇଛି।

ଏହି ପର୍ଯ୍ୟାୟରେ ବିଜେପି ୨୯ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଜେଡିୟୁ ୩୫ଟି ଓ ହିନ୍ଦୁସ୍ତାନ ଆୱାମ୍ ମୋର୍ଚ୍ଚା ୬ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିକାଶଶୀଳ ଇନ୍ସାନ ପାର୍ଟିର ଜଣେ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ମହାମେଣ୍ଟରୁ ଆରଜେଡି ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସ ୨୧ଟିରେ ଓ ସିପିଆଇ-ଏମଏଲ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏଲଜେପି ଯେଉଁ ଆସନଗୁଡ଼ିକରୁ ପ୍ରତିଦ୍ୱନ୍ଦ୍ୱିତା କରୁନାହିଁ ସେଠାରେ ପାର୍ଟି ବିଜେପି ପ୍ରାର୍ଥୀମାନଙ୍କୁ ସମର୍ଥନ କରୁଛି।

Comments are closed.