ଘରେ ରହି ସୁସ୍ଥହେଲେ ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ

ଦେବଗଡ଼ : ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା କେନ୍ଦ୍ର ସରକାର ସୂଚନା ଦେବାପରେ ସେ ଏବେ ସୁସ୍ଥ ଥିବା ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ଗତ ୨ ଦିନ ହେଲା ଜିଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲୁନାହାନ୍ତି। ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ବାରକୋଟ ବ୍ଲକ ଅନ୍ତର୍ଗତ ବସାଲଇ ଗ୍ରାମର ମିଲୁ ରାଜହଂସ ବୋଲି ଜଣାପଡିଛି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। କରୋନାରେ ଆକ୍ରାନ୍ତ ହେବାର ୨୦ ଦିନପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ପରିବାର ଏବଂ ଗ୍ରାମବାସୀଙ୍କ ସହ ସ୍ୱାଭାବିକ ଭାବେ ମିଳାମିଶା କରୁଥିଲେ। ଗତକାଲି ତାଙ୍କ ଘରେ ସ୍ୱାସ୍ଥ୍ୟବିଭାଗର ଏକ ଦଳ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସମୟରେ ମିଲୁ ଡେଲ୍‌ଟା ପ୍ଲସ ସଂକ୍ରମିତ ଥିବା ଜାଣିପାରିଥିଲେ। ଆଜି ସେ ଆମ ପ୍ରତିନିଧିଙ୍କୁ ଏନେଇ ସୂଚନା ଦେବାସହ କରୋନା ସଂକ୍ରମିତ ହୋଇଥିବା ସମୟର ଅନୁଭୂତି ବଖାଣିଥିଲେ। ଏବେ ସେ ଚାଷକାର୍ଯ୍ୟରେ ବ୍ୟସ୍ତ ଥିବା ସୂଚନା ଦେଇଥିଲେ।
ଗତ ମାର୍ଚ୍ଚ ୩୦ ତାରିଖରେ ମିଲୁ କୋଭିଡ ଟିକା ନେଇଥିଲେ ଏବଂ ଏପ୍ରିଲ ୨୨ ତାରିଖ କୋଭିଡ ପରୀକ୍ଷା କରାଇବା ପରେ ତାଙ୍କର ନମୂନା ନେଗେଟିଭ ଆସିଥିଲା। ପରଦିନ ଅର୍ଥାତ୍‌ ଏପ୍ରିଲ ୨୩ ତାରିଖ ପୁଣି କୋଭିଡ ପରୀକ୍ଷା କରିବାରୁ ସେ କରୋନା ଆକ୍ରାନ୍ତ ଥିବା ଜାଣିପାରି ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିଲେ। ୨୦ଦିନ ପରେ ସେ ସୁସ୍ଥ ଅନୁଭବ କରିବାରୁ ଘରୁ ବାହାରି ଲୋକଙ୍କ ସହିତ ମିଳାମିଶା କଲେ। ତେବେ କରୋନା ସଂକ୍ରମିତ ହେବା ପୂର୍ବରୁ ସେ ବାହାର ଜିଲା କିମ୍ବା ବାହାର ରାଜ୍ୟକୁ ଯାଇ ନ ଥିଲେ ବୋଲି କହିଛନ୍ତି। ଅପରପକ୍ଷେ ଡେଲ୍‌ଟା ପ୍ଲସ ରୋଗ ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ସେବା ନ ନେଇ ମଧ୍ୟ ମିଲୁ ଇତିମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରି ଥିବାରୁ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି। ତେଣୁ ଡେଲ୍‌ଟା ପ୍ଲସ ଭୂତାଣୁ ସେତେଟା ଘାତକ ହୋଇ ନ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି। ଅପରପ​କ୍ଷେ‌ ବସାଲଇ ଗ୍ରାମରୁ ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ନିର୍ଦେଶକ୍ରମେ ବସାଲଇ ସମେତ ଆଖପାଖ ଅଞ୍ଚଳର ୬ଟି ଗ୍ରାମରେ ସ୍ୱତନ୍ତ୍ର କୋଭିଡ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଏହିକ୍ରମରେ ଆଜି ବସାଲଇ ଗ୍ରାମରେ କୋଭିଡ ପରୀକ୍ଷା କରାଯାଇଥିଲା, କିନ୍ତୁ ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ ଜଣାପଡି ନାହିଁ।

Comments are closed.