ତୃତୀୟ ଲହରରେ ଗଞ୍ଜାମରେ ପ୍ରଥମ କରୋନା ମୃତ୍ୟୁ

ପ୍ରାଣ ହରାଇଲେ ହରିଗଡ଼ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ

ଭଞ୍ଜନଗର : କାରୋନାର ତୃତୀୟ ଲହରରେ ଗଞ୍ଜାମର ପ୍ରଥମ ମୁଣ୍ଡ ଗଡିଛି । ଏଭଳି ଦୁଃଖଦ ଘଟଣା ଭଞ୍ଜନଗର ବ୍ଲକରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ହେଲେ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ହରିଗଡ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଲବକୁମାର ସେଠୀ। ବୁଧବାର ଦିନ ୧୧ଟା ସମୟରେ ବ୍ରହ୍ମପୁର ବଡଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀଲକୁମାର ସେଠୀ ସ୍ପଷ୍ଟ କରିଛନ୍ତି। ଚାରିଦିନ ତଳେ ସେ ସମାନ୍ୟ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରିସ୍ଥିତି ଅଧିକ ଜଟିଳ ହେବାରୁ ତାଙ୍କର କ​‌େ​‌ରାନା ପରୀକ୍ଷା କରାଯାଇ ସ୍ବତନ୍ତ୍ର ଯତ୍ନ କୋଠରୀରେ ଭର୍ତ୍ତି କରାଯାଇଥିଲା। ସେ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡିଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି। ମୃତଦେହକୁ କୋଭିଡ ମାର୍ଗଦର୍ଶିକା ଆଧାରରେ ବ୍ରହ୍ମପୁର ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଛି। ମୃତ ଲବ କୁମାରଙ୍କ ବୟସ ମାତ୍ର ୩୪ ବର୍ଷ ଓ ସେ ଅବିବାହିତ ଥିଲେ। ନିଜ ଘର ବୁଗୁଡା ହୋଇଥିବାରୁ ଦୈନିକ ସେ ମୋଟରସାଇକଲରେ ଯୋଗେ ଭଞ୍ଜନଗର ବ୍ଳକର କାର୍ଯ୍ୟକ୍ଷେତ୍ରକୁ ଯାତାୟାତ କରୁଥିଲେ। ହରିଗଡ ପଞ୍ଚାୟତ ସହ ଦୋମୁହାଁଣି ପଞ୍ଚାୟତର ମଧ୍ୟ ସମ୍ପ୍ରସାରଣ ଅଧିକାରୀ ଭାବେ ସେ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ମୃତ୍ୟୁ ଖବର ଭଞ୍ଜନଗର କାର୍ଯ୍ୟାଳୟରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି। କରୋନାର ପ୍ରଥମ ଲହର ଓ ଦ୍ୱିତୀୟ ଲହର ବେଳେ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ କୋଭିଡ ନିୟମ ପାଳନ ସମ୍ପର୍କରେ ସେ ଅଧିକ ସଚେତନତା ସୃଷ୍ଟି କରି ସଙ୍ଗରୋଧ କେନ୍ଦ୍ରର ପରିଚାଳନା କ୍ଷେତ୍ରରେ ଗୁରୁ ଦାୟିତ୍ୱ ତୁଲାଇ ଆସିଥିଲେ। ଅଥଚ, ତୃତୀୟ ଲହରରେ ସେ ପ୍ରଥମେ ବଳି ପଡିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି।
ଡିସେମ୍ବର ୩୧ତାରିଖ ପରଠାରୁ ସେ ଆଉ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନ ଥିଲେ। ପ୍ରଥମେ ସେ ସମାନ୍ୟ ଜ୍ବର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଯାଇଥିଲେ। ତାଙ୍କର ଆରଟିପିସିଆର ପରୀକ୍ଷା ପରେ କରୋନା ସଂକ୍ରମଣ ଜଣାପଡିଥିଲା। ଓମିକ୍ରିନ୍‍ ଭୂତାଣୁରେ ସେ ସଂକ୍ରମିତ କି ନୁହେଁ ତାହା ଜାଣିବା ପାଇଁ ତାଙ୍କର ସ୍ବାବ ନମୁନାର ଅଧିକ ପରୀକ୍ଷାନିରୀକ୍ଷା ଚାଲିଛି।
ତୃତୀୟ ଲହରରେ ଭଞ୍ଜନଗର ବ୍ଳକର ଏହା ପ୍ରଥମ କାରୋନା ମୃତ୍ୟୁ ବୋଲି ଉପ-ଜିଲାପାଳ ପ୍ରକାଶ କରି ଏଦିଗରେ ଅଧିକ ସତର୍କତା ଓ ସଚେତନତାର ଆବଶ୍ୟତା ରହିଛି ବୋଲି ସେ ଦର୍ଶାଇଥିଲେ।

Comments are closed.