ଭାରତୀୟ ସେନାରେ ସାମିଲ ହେଲେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ

ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ ଦଳ ସାମିଲ ହୋଇଛନ୍ତି। ଏହି ଦଳରେ ମୋଟ ୮୩ ଜଣ ମହିଳା ସୈନିକ ରହିଛନ୍ତି। ଶନିବାର ଦିନ ବେଙ୍ଗାଲୁରୁସ୍ଥିତ କର୍ପସ ଅଫ ମିଲିଟାରୀ ପୋଲିସ ସେଣ୍ଟର ଆଣ୍ଡ ସ୍କୁଲ (ସିଏମପି ସି ଆଣ୍ଡ ଏସ)ର ଦ୍ରୋଣାଚାର୍ଯ୍ୟ ପରେଡ ଗ୍ରାଉଣ୍ଡଠାରେ ଏହି ମହିଳା ସାମରିକ ପୁଲିସ ବାହିନୀ ଆନୁଷ୍ଠାନିକ ଭାବରେ ସାମିଲ ହୋଇଥିଲେ। କୋଭିଡ କଟକଣା ଦୃଷ୍ଟିରୁ ପରେଡ ଉତ୍ସବକୁ ଯଥାସମ୍ଭବ ନିରାଡମ୍ବର ଭାବରେ ଆୟୋଜନ କରାଯାଇଥିଲା। ଏହି ମହିଳା ସାମରିକ ପୁଲିସ ଦଳ ୬୧ ସପ୍ତାହ ଧରି ସାମରିକ ତାଲିମ, ମାଜିଷ୍ଟ୍ରେଟ ତାଲିମ, ପୁଲିସ ଡ୍ୟୁଟି, ଯୁଦ୍ଧ ବନ୍ଦୀ ପରିଚାଳନା, ଉତ୍ସବକାଳୀନ ଦାୟିତ୍ୱ, କୁଶଳତାର ବିକାଶ ଏବଂ ଗାଡିଚାଳନା, ଯାନବାହନର ରକ୍ଷଣାବେକ୍ଷଣ ଏବଂ ସିଗନାଲ ଯୋଗାଯୋଗ ଆଦି ସମ୍ପର୍କରେ ଅତ୍ୟନ୍ତ କଠୋର ତାଲିମ ନେଇଛନ୍ତି। ସାମରିକ ପୁଲିସ ବାହିନୀର କମାଣ୍ଡାଣ୍ଟ ଆଶା ଓ ବିଶ୍ୱାସ ପ୍ରକଟକରି କହିଥିଲେ ଯେ ସେମାନଙ୍କୁ ଦିଆଯାଇଥିବା ତାଲିମ ଏବଂ ତାଲିମ ସମୟରେ ସେମାନେ ହାସଲ କରିଥିବା ଗୁଣାତ୍ମକ ଜ୍ଞାନ ସେମାନଙ୍କୁ ଉତ୍ତମ ଶାରୀରିକ ଏବଂ ମାନସିକ ସ୍ଥିତିରେ ରଖି ଏବଂ ସେମାନଙ୍କ ନୂଆ ୟୁନିଟର ସାମର୍ଥ୍ୟ ବୃଦ୍ଧି ଘଟାଇବ। ସୂଚନାଯୋଗ୍ୟ ଯେ ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ଅଭିଯାନମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ। ସେ କହିଥିଲେ ଦେଶରେ ବର୍ତ୍ତମାନ ସୁଦ୍ଧା ସାମରିକ ବାହିନୀରେ କେବଳ ମହିଳା ଅଫିସର ରହିଥିଲେ। ଏବେ ପ୍ରଥମ କରି ମହିଳାଙ୍କୁ ଅଣ ଅଫିସର ବର୍ଗରେ ସାମିଲ କରାଯାଇଛି। ଏହି ମହିଳା ସୈନିକମାନେ ପୁରୁଷ ସାମରିକ ପୁଲିସ କର୍ମଚାରୀମାନଙ୍କ ଭଳି ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବେ।

Comments are closed.