ଅସୁରକ୍ଷିତ ଭାବେ ଚାଲିଛି ରେଳବାଇ ସେତୁ ନିର୍ମାଣ; ୫୦ ଫୁଟ ତଳକୁ ଖସି ପଡି ଶ୍ରମିକଙ୍କ ମୃତ୍ୟୁ

ସମଲ : ଅନୁଗୋଳ ଜିଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲଠାରେ ବ୍ରାହ୍ମଣୀ ନଦୀ ଉପରେ ତାଳଚେର-ବିମଳାଗଡ଼ ରେଳପଥର ସେତୁ ନିର୍ମାଣ କାର୍ୟ୍ୟ ଚାଲିଥିବାବେଳେ ୫୦ଫୁଟ ତଳକୁ ଖସିପଡ଼ି ଗୁରୁବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ନିକଟସ୍ଥ ଡଙ୍ଗରବେଡ଼ା ଗ୍ରାମର ଭୋଳେଶ୍ବର ଭୁକ୍ତା( ୪୨) ବୋଲି ଜଣାଯାଇଛି।
ବ୍ରିଜର କଲମ କାର୍ୟ୍ୟ ଚାଲିଥିବା ସମୟରେ ଆଜି ଅପରାହ୍ଣରେ ଶୀର୍ଷ ଭାଗରେ ଢ଼ଳେଇ ହେଉଥିବା ବେଳେ ସେଠାରୁ ପଚାଶ ଫୁଟ ତଳକୁ ଗଳିପଡିଥିଲେ ଭୋଳେଶ୍ବର। ତାଙ୍କୁ ନିକଟରେ ଥିବା ଲୋକମାନେ ତୁରନ୍ତ ତାଳଚେର ଉପଖଣ୍ଡସ୍ତରୀୟ ଡାକ୍ତରଖାନା ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତଦେହ ଡାକ୍ତରଖାନାରେ ଶବ ସଂରକ୍ଷଣ ଗୃହରେ ରଖାଯାଇଥିବା ବେଳେ ଘଟଣାସ୍ଥଳରେ ଓ ସମଲ ଥାନା ସମ୍ମୁଖରେ ଲୋକଙ୍କ ଭିଡ ଜମିଥିଲା ।
ସଂପୃକ୍ତ ଠିକା ସଂସ୍ଥା ଅସୁରକ୍ଷିତ ବ୍ୟବସ୍ଥାରେ ନିର୍ମାଣ କାର୍ୟ୍ୟ କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଲୋକମାନେ କହିବା ଅନୁଯାୟୀ ବହୁତ ଉଚ୍ଚରେ ବିପଦପୂର୍ଣ୍ଣ ସ୍ଥାନରେ କାମ ଚାଲୁଥିଲେ ମଧ୍ୟ କମ୍ପାନୀ ତରଫରୁ କୌଣସି ସୁରକ୍ଷା ସାମଗ୍ରୀର ବ୍ୟବହାର ହେଉ ନାହିଁ। ଶ୍ରମିକମା​‌େ​‌ନ ବିପଦପୂର୍ଣ୍ଣ ଅବସ୍ଥାରେ କାମ କରୁଛନ୍ତି। ଏଥି ନିମନ୍ତେ ଠିକା ସଂସ୍ଥା ଓ ରେଳବାଇ ଦାୟୀ ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା ମୃତ ପରିବାରକୁ କ୍ଷତିପୂରଣ ପ୍ରଦାନ ସହିତ ଠିକା ସଂସ୍ଥା ଉପରେ କାର୍ୟ୍ୟାନୁଷ୍ଠାନ ଦାବି କରି ସଂଧ୍ୟାରେ ଥାନା ସମ୍ମୁଖରେ ଜମା ହୋଇଥିବା ଜଣାପଡିଛି । ଏ ନେଇ ସମଲ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Comments are closed.