ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ଆଡିବଙ୍ଗା ନିକଟ ରାଇକଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୁକ୍ରବାର ଦିନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ ରାଇକଣା ଗ୍ରାମର କାସ୍ପତି ପଡ୍ରା(୪୫)। ଏ ନେଇ ୟୁଡି କେଶ୍‍ ନଂ ୧/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇ ପଠାଯାଇଥିବା ବ୍ରାହ୍ମଣୀଗାଁ ଥାନା ଏସ୍‍ଆଇ ସଂଗ୍ରାମ କେଶରୀ ଜେନା ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ମୃତ କାସ୍ପତି ଏକ ନୂତନ ଗୃହ ନିର୍ମାଣ କରୁଛନ୍ତି। ହେଲେ ସେହି ନିର୍ମାଣ ଧିନ ଗୃହରେ ସବୁଦିନ ଭଳି ଆଜି ମଧ୍ୟ ସକାଳ ପ୍ରାୟ ୯ ଟାରେ ପାଣି ଦେବା ଉଦ୍ଦେଶ୍ୟରେ ସେହି ଗୃହକୁ ଯାଇଥିଲେ ହେଲେ ପୂର୍ବରୁ ସେହି ଗୃହରେ ବିଦ୍ୟୁତ୍‍ ତାର ଅସଜଡା ଅବସ୍ଥାରେ ତଳେ ପଡି ରହିଥିଲା ତାହା ସେ ଜାଣିପାରି ନ ଥିଲେ ସେହି ତାରକୁ ସଜାଡିବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ବିଦ୍ୟୁତ୍‍ ଆଘାତ ଲାଗିଥିଲା। ଫଳରେ ସେ ସେହି ସ୍ଥାନରେ ହିଁ ଛଟପଟ ହୋଇ ପଡିଥିଲେ। କିଛି ସମୟ ପରେ ତାଙ୍କ ସ୍ତ୍ରୀ ସେହି ଘର ଭିତରେ ପ୍ରବେଶ କରିବା ବେଳେ ସ୍ୱାମୀଙ୍କର ଏହି ଅବସ୍ଥା ଦେଖି ସାହି ପଡିଶା ଓ ଗ୍ରାମବାସୀଙ୍କୁ ଡାକି ଥିଲେ। ଗ୍ରାମବାସୀମାନେ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ପ୍ରମୋଦ କୁମାର ସେଠୀ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ପୁଲିସ୍‍ ଟିମ୍‍ ମେଡିକାଲରେ ଆସି ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଛେଦର ବ୍ୟବସ୍ଥା କରାଯାଇଥିବା ଏସ୍‍ଆଇ ଶ୍ରୀ ଜେନା ସୂଚନା ଦେଇଛନ୍ତି।

Comments are closed.