ଚୋରି ଅଭିଯୋଗରେ ଜଣେ ଗିରଫ

ଫୁଲନଖରା : ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ସଦର ଥାନା ପୁଲିସ କଟକ ଦରଘାବଜାର ଥାନା ଅନ୍ତର୍ଗତ କଦମରସୁଲ ଅଞ୍ଚଳର ଶେଖ ମୁନିଫ (୨୯) କୁ ଗିରଫ କରିଛି। ମୁନିଫ ଓ ତା’ ସହଯୋଗୀ ପୁରୀଘାଟ ଥାନା ଅନ୍ତର୍ଗତ ହାତୀପୋଖରୀ ଅଞ୍ଚଳର ଶେଖ କାଲା ମିଳିତ ଭାବେ ସଦର ଥାନା ଅନ୍ତର୍ଗତ ଉରାଳି ଗ୍ରାମ ନିକଟ କାଠଯୋଡ଼ି ନଦୀପଠାରେ ଚରୁଥିବା ୪ଟି ଛେଳିଙ୍କୁ ନେଇଯାଇଥିଲେ। ମାଲିକ ଶୁକଦେବ ପ୍ରଧାନ ଏହାକୁ ବିରୋଧ କରିବାରୁ ତାଙ୍କୁ ସେମାନେ ମାଡ଼ ମାରିଥିଲେ। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ମୁନିଫକୁ ଗିରଫ କରି ତା’ ଠାରୁ ସମସ୍ତ ୪ଟି ଛେଳି ଉଦ୍ଧାର କରିଛି। ଅନ୍ୟ ଅଭିଯୁକ୍ତ କାଲା ଫେରାର ଅଛି। ଶୁକ୍ରବାର ମୁନିଫକୁ କୋର୍ଟ ଚାଲାଣ କରାଯାଇଥିଲାବେଳେ ସେମାନଙ୍କ ନାମରେ ପୂର୍ବରୁ ସଦର ଥାନା ଓ କନ୍ଦରପୁର ଥାନାରେ ଏକାଧିକ ଚୋରି ମାମଲା ରହିଥିବା ଆଇଆଇସି ସୁଧାଂଶୁଭୂଷଣ ଜେନା କହିଛନ୍ତି।