ଜାଲ୍ ନୋଟ କାରବାର ଅଭିଯୋଗ; ଚୋରା ବାଇକ୍ ସହିତ ଜଣେ ଗିରଫ

ଗଡ଼ମଧୁପୁର : ଯାଜପୁର ଜିଲା ଜେନାପୁର ଥନା ଅନ୍ତର୍ଗତ ଜେନାପୁର ପଂଚାୟତର ବରହମପୁର ଛକରୁ ଜାଲ୍ ନୋଟ କାରବାର ଅଭିଯୋଗରେ ଜେନାପୁର ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଢେଙ୍କାନାଳ ଜିଲା ନିହଲପ୍ରସାଦ ଗ୍ରାମର ବିକାଶ ମଳିକ(୨୦) ପି- ଚୈତନ ମଳିକ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ବିକାଶ ଗତକାଲି ଏହି ଥାନା ଅନ୍ତର୍ଗତ ଘାସିବର ଛକରୁ ପେଟ୍ରୋଲ କିଣି ଏକ ୫୦୦ଟଙ୍କିଆ ନୋଟ ଦୋକାନିକୁ ଧରାଇଥିଲା ଏବଂ ପରେ ଆଉ ଏକ ନୋଟ୍ ଖୁଚୁରା ନିମନ୍ତେ ଦେଇଥିଲା। ଦୋକାନୀ ପାଖରେ ଏତେ ପରିମାଣରେ ଖୁଚୁରା ନଥିବାରୁ ସେ ଅନ୍ୟ ଦୋକାନରୁ ଆଣି ଦେବାକୁ କହିବାରୁ ବିକାଶ ହଡବଢେଇ ଯାଇଥିଲା। ଯାହାକୁ ନେଇ ଦୋକାନୀର ନୋଟ ଉପରେ ସନ୍ଦେହ ପ୍ରକାଶ ପାଇଥିଲା। ନୋଟ ଦୁଇଟି ଜାଲ୍ ହୋଇଥିବାର ଜଣା ପଡିବା ପରେ ଉପସ୍ଥିତ ଲୋକେ ବିକାଶକୁ ଧରିବାକୁ ଚେଷ୍ଟା କରିବାରୁ ସେ ନୂଆନଈ କେନାଲ ପାଣିକୁ ଡେଇଁ ପଡିଥିଲା। ଲୋକମାନେ କେନାଲର ଚାରିପାଖରେ ଘେରି ରହି ଜେନାପୁର ପୁଲିସକୁ ଖବର ଦେବା ପରେ ଦମକଳ ବାହନୀ ଓ ପୁଲିସ ବିକାଶକୁ ଧରିବାକୁ ସକ୍ଷମ ହୋଇଥିଲେ। ତଦନ୍ତରେ ସେ ତେଲ ପକାଇବାକୁ ଆଣିଥିବା ଗାଡିଟି ଏକ ଚୋରା ବାଇକ୍ ବୋଲି ଜଣାପଡିଛି। ଏନେଇ ଜେନାପୁର ଥନାରେ ଏକ ମମଲା ରୁଜୁ କରାଯିବା ସହିତ ଅଭିଯୁକ୍ତକୁ ଗିରଫକରାଯାଇ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଆଶିସ କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.