୧୩ ବର୍ଷ ପରେ ଅଭିଯୁକ୍ତ ଗିରଫ

ପିପିଲି : ୨୦୦୭ ମସିହାରେ ଘଟିଥିବା ଏକ ଯୁବତୀ ବଳାତ୍କାର ଘଟଣାରେ ଫେରାର୍‍ ଥିବା ଅଭିଯୁକ୍ତକୁ ଦୀର୍ଘ ୧୩ ବର୍ଷ ପରେ ପିପିଲି ପୁଲିସ ବାଲିଅନ୍ତା ଥାନା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ନାମ ପ୍ରେମାନନ୍ଦ ଭୋଳ ଓରଫ ବଙ୍କୁ(୪୦) ଓ ତାର ଘର ବାଲିଅନ୍ତା ଥାନା ଅନ୍ତର୍ଗତ ଗଣ୍ଡିଲୋ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ନୟାଗଡ ଅଞ୍ଚଳର ଜନୈକା ୨୨ ବର୍ଷୀୟା ଯୁବତୀକୁ ଗତ ୨୦୦୭ ମସିହା ଅକ୍ଟୋବର ୨୪ ତାରିଖ ରାତିରେ ପିପିଲି ଥାନା ଅନ୍ତର୍ଗତ କୌଶଲ୍ୟାଗଙ୍ଗ ଅଞ୍ଚଳରେ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବହୁବାର ଉଦ୍ୟମ କରି ପୁଲିସ ବିଫଳ ହୋଇଥିଲା। ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ନେତୃତ୍ୱରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ମନୋଜ କୁମାର ଦାସ ପ୍ରମୁଖଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍‍ ବାଲିଅନ୍ତା ପୁଲିସ ସହାୟତାରେ ଅଭିଯୁକ୍ତ ପ୍ରେମାନନ୍ଦକୁ ତାର ଗଣ୍ଡିଲୋ ଗ୍ରାମସ୍ଥିତ ଘରୁ ଗିରଫ କରିବାରେ ସଫଳ ହୋଇଥିଲା। ତା ନାମରେ ବାଲିଅନ୍ତା ଥାନାରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି। ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି।

Comments are closed.