ଜରୁରୀ ପରିସ୍ଥିତି ଜାରି ଭୁଲ୍‌ ଥିଲା – ରାହୁଲ

ନୂଆଦିଲ୍ଲୀ: ଦେଶରେ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜରୁରୀକାଳୀନ ପରିସ୍ଥିତି ଜାରି ‘ଏକଦମ୍‌ ଭୁଲ’ ଥିଲା। ପରବର୍ତ୍ତୀ ସମୟରେ ଇନ୍ଦିରା ନିଜେ ପ୍ରକାରାନ୍ତରେ ଏହା ସ୍ବୀକାର କରିଥିଲେ ବୋଲି କହିଛନ୍ତି ଇନ୍ଦିରାଙ୍କ ନାତି ରାହୁଲ ଗାନ୍ଧୀ। ଏଥିନେଇ କିଛି ମୌଳିକ ପାର୍ଥକ୍ୟ ରହିଥିବା ସେ କର୍ଣ୍ଣେଲ ବିଶ୍ବବିଦ୍ୟାଳୟର ପ୍ରଫେସର କୌଶିକ ବସୁଙ୍କ ସହ କଥା ହେଲାବେଳେ କହିଛନ୍ତି। ସେ ସମୟରେ ଯାହା ସବୁ ଘଟିଥିଲା ତାହା ମଧ୍ୟ ଭୁଲ ଥିଲା ବୋଲି କହିଛନ୍ତି ରାହୁଲ। ସେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଲାଗି କଂଗ୍ରେସ ସଂଗ୍ରାମ କରିଥିଲା; ଏହି ଦଳ ଦେଶକୁ ସମ୍ବିଧାନ ଦେଇଥିଲା ଓ ସମାନତା ସପକ୍ଷରେ ଛିଡ଼ା ହୋଇଥିଲା। ଏହା ସତ୍ତ୍ବେ ଜରୁରୀ ପରିସ୍ଥିତି ଜାରି କରିବା କଂ​ଗ୍ରେସ ପକ୍ଷରେ ଭୁଲ ପଦକ୍ଷେପ ଥିଲା; ତେବେ ଏହାର ଅବଧି ଶେଷ​‌ ପରେ ଇନ୍ଦିରା ଦେଶରେ ନିର୍ବାଚନ କରାଇଥିଲେ।

ଜରୁରୀକାଳୀନ ପରିସ୍ଥିତିରେ ଯାହା ବି ହୋଇଥିଲା ସେ ସବୁ ଇନ୍ଦିରାଙ୍କ ପରାଜୟର ଭୟଜନିତ ଥିଲା। ସେତେବେଳେ ତାହା ଭୁଲ ହୋଇଥିଲେ ବି ସେବେକା ଓ ବର୍ତ୍ତମାନର ପରିସ୍ଥିତି ମଧ୍ୟରେ ତୁଳନା କରାଯାଇପାରେ ବୋଲି ରାହୁଲ କହିଛନ୍ତି। ଏହା ସପକ୍ଷରେ ଯୁକ୍ତି ଦର୍ଶାଇ ରାହୁଲ କହିଛନ୍ତି ​ଯେ ବର୍ତ୍ତମାନ ବିଜେପି ଯେଉଁପରି ଭାବରେ ଦେଶର ଆନୁଷ୍ଠାନିକ ତଥା ପ୍ରଚଳିତ ବିଧିବ୍ୟବସ୍ଥାକୁ ନିଜ ଅନୁସାରେ ପରିବର୍ତ୍ତନ କରିବାକୁ ଉଦ୍ୟମ ଚଳାଇଛି ସେତେବେଳେ କଂଗ୍ରେସ ତାହା କରି ନ ଥିଲା। କୌଣସି ସମୟରେ କଂଗ୍ରେସ ଦଳ ଏଭଳି କାର୍ଯ୍ୟ କରି ନାହିଁ; ଯାହାଦ୍ବାରା ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ମର୍ଯ୍ୟାଦା କ୍ଷୁଣ୍ଣ ହେବ। ଏଭଳି ଅନୁଷ୍ଠାନ ଉପରେ ମଧ୍ୟ ବର୍ତ୍ତମାନ ଭଳି କେବେ କଂଗ୍ରେସ ଆକ୍ରମଣ କରି ନାହିଁ ବୋଲି ରାହୁଲ ଜୋର୍‌ ଦେଇ କହିଛନ୍ତି; ତେବେ ଗଣତାନ୍ତ୍ରିକ ସ୍ବାଧୀନତା ପ୍ରସଙ୍ଗରେ ସେତେବେଳ ଓ ବର୍ତ୍ତମାନର ସ୍ଥିତିକୁ ନେଇ ବିତର୍କ କରାଯାଇପାରେ ବୋଲି ​ସେ କହିଛନ୍ତିି।

ସେହିପରି ପିତା ରାଜୀବଙ୍କ ହତ୍ୟା ନେଇ ମଧ୍ୟ ରାହୁଲ କହିଛନ୍ତି ଯେ ଏପରି ଆଶଙ୍କା ଅନେକ ପୂର୍ବରୁ ରହିଥିଲା। ପିତାଙ୍କୁ ହତ୍ୟା ସମ୍ପର୍କରେ ସେ ଯେତେବେଳେ ଫୋନ୍‌ରେ ଖବର ପାଇଲେ ତାଙ୍କ ପାଟିରୁ ସେତେବେଳେ ସ୍ବତଃ ‘ଏହା ତେବେ ଘଟିଗଲା’ ବୋଲି ବାହାରି ଯାଇଥିଲା ବୋଲି ରାହୁଲ କହିଛନ୍ତି। ଏହା ତାଙ୍କ ପକ୍ଷରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ଏହି ଘଟଣା ତାଙ୍କର ଅନେକ ଦୃଷ୍ଟିଭଙ୍ଗିକୁ ବଦଳାଇଥିଲା; କାରଣ ରାଜୀବ ଥିଲେ ଏକ ଚଳତ୍‌ ଶକ୍ତି। ମୃତ୍ୟୁ ଆଡ଼କୁ ସେ ଆଗେଇ ଯାଉଥିବାର ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା; କିନ୍ତୁ ଏହାଦ୍ବାରା ତାଙ୍କର ସବୁକିଛି ଶେଷ ହୋଇଯାଇ ନ ଥିଲା ବୋଲି ରାହୁଲ କହିଛନ୍ତି। ଏମିତି କି ରାଜୀବଙ୍କ ହତ୍ୟାକାରୀ ପ୍ରଭାକରନର ମୃତ୍ୟୁ ମଧ୍ୟ ତାଙ୍କୁ ବାଧିଥିଲା। ସେ ନିଶ୍ଚୟ କାହାର ପିତା ହୋଇଥିବେ ଭାବି ସେ ଦୁଃଖିତ ହୋଇଥିଲେ। ଏ ନେଇ ସେ ଭଉଣୀ ପ୍ରିୟଙ୍କା ସହିତ ଫୋନରେ କଥା ହୋଇଥିଲେ ଏବଂ ପ୍ରିୟଙ୍କା ତାଙ୍କ ଭାବନାକୁ ସମର୍ଥନ କରିଥିଲେ ବୋଲି ରାହୁଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜରୁରୀକାଳୀନ ପରିସ୍ଥିତିକୁ ନେଇ ବିଜେପି ଗାନ୍ଧୀ ପରିବାରକୁ ନିଶାଣ କରିଆସିଛି।

Comments are closed.