ପଣସୁଧା ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୯ ଗିରଫ

ବାଲିଚନ୍ଦ୍ରପୁର: ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ମାତାମଠ ନିକଟସ୍ଥ ବଜାରରେ ଶନିବାର ସନ୍ଧ୍ୟାରେ ଘଟିଯାଇଥିବା ଗୋଷ୍ଠୀ ସଙ୍ଘର୍ଷ ଓ ପୁଲିସ ଭ୍ୟାନ୍‍ ପୋଡି ଘଟଣାରେ ଉଭୟ ଗୋଷ୍ଠୀର ୧୯ ଜଣଙ୍କୁ ଗିରଫ କରାଯାଇ ରବିବାର କୋର୍ଟଚାଲାଣ କରାଯାଇଛି। ଦୁଇଟି ମାମଲାରେ ଉଭୟ ଗୋଷ୍ଠୀର ପାଖାପାଖି ୩୦୦ ଜଣଙ୍କ ନାମ ରହିଥିବା ପୁଲିସ୍‍ ସୂଚନା ଦେଇଛି। ଶାସକ ଦଳର ଦୁଇ ନେତାଙ୍କ ମଧ୍ୟରେ ତିକ୍ତତା ମୁଖ୍ୟକାରଣ ବୋଲି କୁହାଯାଉଛି। ରବିବାର ପୁଲିସ ଡିଆଜି ଓ ଯାଜପୁର ଏସ୍‍.ପି ପ୍ରମୁଖ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ସମୀକ୍ଷା କରି ଫେରିଯାଇଛନ୍ତି। ଗୋଷ୍ଠୀ ସଂଘର୍ଷ ଘଟଣାରେ ବିକ୍ରମତିରଣ ପଞ୍ଚାୟତର ସରପଞ୍ଚଙ୍କ ଭାଇ ଅନନ୍ତ ନାରାୟଣ ଧଳ ଓ ଭରତପୁର ସରପଞ୍ଚଙ୍କ ସ୍ୱାମୀ ତଥା ବସନ୍ତରାଜ ସାମଲ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି। ପଣସୁଧା ଗ୍ରାମରେ ଶତ୍ରୁତାକୁ କେନ୍ଦ୍ରକରି ଉତ୍ତେଜନା ଲାଗି ରହିବା ସହ ଥାନାରେ ଅଭିଯୋଗ ହୋଇଥିଲା।

ଶନିବାର ସକାଳ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଶନିବାର ସନ୍ଧ୍ୟାରେ ସେଠାରେ ୨ ସେକ୍ସନ ଫୋର୍ସ ସହ ଦୁଇ ପୁଲିସ୍‍ ଭ୍ୟାନକୁ ମଧ୍ୟ ସେଠାକୁ ପଠାଯାଇଥିଲା। ଏହି ସମୟରେ ଗୋଟିଏ ଗୋଷ୍ଠୀ ଏକ ବାଇକ ରାଲିରେ ଫାଉଡା ବେଣ୍ଟ (ଠେଙ୍ଗା)ସହ ପହଞ୍ଚି ଅନ୍ୟ ଗୋଷ୍ଠୀର ଜଣକୁ ଆକ୍ରମଣ କରିଥିଲେ। ପରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଗୋଷ୍ଠୀର ସମର୍ଥକ ଏକତ୍ରିତ ହୋଇଥିଲେ। ପୁଲିସ ଉପସ୍ଥିତିରେ ତାଙ୍କ ସମର୍ଥକଙ୍କୁ ମାଡ ମରାଯାଇଥିବାରୁ ସେମାନେ ଉତ୍ୟକ୍ତ ହୋଇ ପୁଲିସ ଉପରକୁ ଟେକାପଥର ମାଡ କରିବା ସହ ଦୁଇଟି ପୁଲିସ ଭ୍ୟାନକୁ ଜାଳି ଦେଇଥିଲେ। ଗୋଟିଏ ଗୋଷ୍ଠୀ ପକ୍ଷରୁ ରେଖା ସେଠୀଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ସମୟରେ ଉପସ୍ଥିତ ଥିବା ବାଲିଚନ୍ଦ୍ରପୁର ଥାନା ଏସ.ଆଇ ମନୋଜ ପଣ୍ଡାଙ୍କ ଏତଲାକ୍ରମେ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଭୟରେ ସମ୍ପୂର୍ଣ୍ଣ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଥିବା ବେଳେ ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Comments are closed.