୧୮ ଜଣଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର

ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ୧୯୬୭ ଅନୁଯାୟୀ ସରକାର ୧୮ ଜଣ ଅପରାଧୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏହି ଅଧିନିୟମ ଅନୁଯାୟୀ ପୂର୍ବରୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ସଙ୍ଗଠନକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା କ୍ଷମତା ସରକାରଙ୍କ ପାଖରେ ଥିବାବେଳେ ୨୦୧୯ ଅଗଷ୍ଟରେ ଏଥିରେ ସଂଶୋଧନ ହେବା ପରେ ବେଆଇନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଘୋଷଣା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି।

ଏହି ଅଧିନିୟମରେ ୨୦୧୯ ସେପ୍ଟେମ୍ବରରେ ୪ ଜଣ ଓ ୨୦୨୦ ଜୁଲାଇରେ ୯ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଆଜି ଘୋଷଣା କରାଯାଇଥିବା ୧୮ ଜଣଙ୍କ ନାମକୁ ସେହି ଅଧିନିୟମର ଚତୁର୍ଥ ଅନୁଛେଦରେ ସାମିଲ କରାଯାଇଛି। ସେହି ୧୮ ଜଣ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ। ସେମାନଙ୍କ ମଧ୍ୟରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ସୂତ୍ରଧର ଲସ୍କରେ ଏ ତୋଏବାର ସାଜିଦ ମୀର ଓ ୟୁସୁଫ ମୁଜାମ୍ମିଲ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆତଙ୍କବାଦୀ ଅବଦୁଲ ରହମାନ ମକ୍କିର ସମ୍ପର୍କୀୟ ହାଫିଜ ସଇଦ, ୨୦୦୨ ଅକ୍ଷରଧାମ ମନ୍ଦିର ଆକ୍ରମଣରେ ଜଡିତ ସଇଦ ମେହମୁଦ, ସଂସଦ ଭବନ ଆକ୍ରମଣରେ ଜଡିତ ଫରହାତୁଲ୍ଲା ଘୋରି, କାନ୍ଦାହାର ବିମାନ ଅପହରଣ ମାମଲାରେ ଜଡିତ ଅବଦୁଲ ରଫ ଅସଗର, ଇବ୍ରାହିମ ଥର ଓ ୟୁସୁଫ ଆଜାର ଅଛନ୍ତି।

ସେହିପରି ଶାହିଦ ଲତିଫ, ସୟିଦ ମହମଦ ୟୁସୁଫ ଶାହ, ଗୁଲାମ ନବୀ ଖାଁ, ଜାଫର ହୁସେନ ଭଟ, ରିୟାଜ ଇସ୍ମାଇଲ, ମହମ୍ମଦ ଇକୱାଲ, ଛୋଟା ସକିଲ, ମହମ୍ମଦ ଅନିସ ଶେଖ, ଇବ୍ରାହିମ ମେନନ ଓ ଜାଭେଦ ଚିକଣାକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏହି ୧୮ ଜଣ ଆତଙ୍କବାଦୀ ସୀମା ପାର ହୋଇ ଭାରତରେ ଆତଙ୍କ ସୃଷ୍ଟି କରିଥିଲେ।

Comments are closed.