ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ସଙ୍ଗିନ : ୧୭ ଓପିଏସଙ୍କୁ ୫ ଜିଲା ଦାୟିତ୍ବ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ପୂର୍ବରୁ ୩ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା। ସେଥିମଧ୍ୟରେ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ଓ ଶ୍ରମ ସଚିବ ଚିତ୍ରା ଅରୁମୁଗମ ରହିଥିଲେ। ହେଲେ ଏହି ତିନି ସଚିବଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇ ଏକାନ୍ତବାସରେ ଅଛନ୍ତି। ଏଥିପାଇଁ କାଳେ ସମ୍ପୃକ୍ତ ଜିଲାଗୁଡ଼ିକର ପରିସ୍ଥିତି ବିଗିଡିଯିବ ସେଥିପାଇଁ ରବିବାର ୫ ଜିଲା ପାଇଁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ୧୭ଜଣ ବରି‌ଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଓଏଏସ ବରିଷ୍ଠ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ୟା‌େ‌ରଲାଲ ପ୍ରଧାନ, ଚିତ୍ରସେନ ପଶାୟତ, ନୃପରାଜ ସାହୁ, ହେମନ୍ତ କୁମାର ସିଂହ, ଭକ୍ତବନ୍ଧୁ ଜନାର୍ଦନ ଦଳାଇଙ୍କୁ ନୂଆପଡା ଜିଲା ପାଇଁ ନିଯୁକ୍ତ କରାଯାଇଛି। ଏଣିକି ଅଧିକାରୀମାନେ ଜିଲାପ୍ରଶାସନର ନିର୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ନିୟୋଜିତ ରହି କରୋନା ପରିଚାଳନା କାର୍ଯ୍ୟ ତୁଲାଇବେ। ସେହିପରି ବଲାଙ୍ଗୀର ଜିଲା ପାଇଁ ଦୀପକ ରଞ୍ଜନ ଦାସ, ରଶ୍ମିରଞ୍ଜନ ନାୟକ, ଡ. ଶ୍ବେତକୁମାର ଦାସଙ୍କୁ ନିୟୋଜିତ କରାଯାଇଥିବାବେଳେ ବରଗଡ଼ ପାଇଁ ମହେଶ୍ବର ପାଣିଗ୍ରାହୀ, ସୁଭାଶିଷ ମାନସିଂହ, ମନ୍ଦରଧର ମହାଲିକ, ସମ୍ବଲପୁର ପାଇଁ ବିଶିକେସନ ଦେହୁରୀ ଓ ବୈତୁର ଦୀପ ଓ ସୁନ୍ଦରଗଡ଼ ଜିଲା ପାଇଁ ଦୁର୍ଗା ପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଏବଂ ମଧୁସୂଦନ ବେହେରାଙ୍କୁ ଦାୟିତ୍ବ ଦିଆଯାଇଛି।

Comments are closed.