୧୭ ଛାତ୍ରୀଙ୍କୁ ନିଶା ଦେଇ ବ୍ୟଭିଚାର କଲେ ୨ ବିଦ୍ୟାଳୟ ପରିଚାଳକ

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ଏକ ବିଦ୍ୟାଳୟର ୧୭ ଜଣ ଛାତ୍ରୀଙ୍କୁ ନିଶା ଦେଇ ସେମାନଙ୍କ ପ୍ରତି ବିଦ୍ୟାଳୟର ଦୁଇଜଣ ପରିଚାଳକ ବ୍ୟଭିଚାର କରିଥିବା ନେଇ ସଂଗୀନ ଅଭିଯୋଗ ହୋଇଛି । ମୁଜାଫରନଗରର ପୁରକଜାଇଠାରେ ଥିବା ଜିଜିଏସ ଇଣ୍ଟରନ୍ୟାସନାଲ ସ୍କୁଲରେ ଏହି ଘଟଣା ଘଟିଛି । ଛାତ୍ରୀମାନଙ୍କ ଅଭିଯୋଗରୁ ଜଣାଯାଇଛି ଯେ ସେମାନେ ସମସ୍ତେ ୧୦ମ ଶ୍ରେଣୀରେ ପଢୁଛନ୍ତି । ନଭେମ୍ବର ୧୮ ତାରିଖରେ ବିଦ୍ୟାଳୟର ଦୁଇ ପରିଚାଳକ ସେମାନଙ୍କୁ ବିଦ୍ୟାଳୟରେ ଅଟକାଇ ରଖିବା ସହିତ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି କହିଥିଲେ । ପରେ ସେମାନଙ୍କୁ ଖାଦ୍ୟରେ କିଛି ନିଶା ମିଶାଇ ଖାଇବାକୁ ଦିଆଯାଇଥିଲା । ଛାତ୍ରୀମାନେ ଅଚେତ ହୋଇଯିବାପରେ ଦୁଇ ପରିଚାଳକ ସେମାନଙ୍କ ପ୍ରତି ବ୍ୟଭିଚାର କରିଥିଲେ । ତଥାକଥିତ ଡାକ୍ତରୀ ପରୀକ୍ଷା ସମୟରେ ସେଠାରେ କୌଣସି ଶିକ୍ଷୟିତ୍ରୀ ଉପସ୍ଥିତ ନଥିବା ଜଣାଯାଇଛି । ଏହି ଅଭିଯୋଗ ଆସିବାପରେ ଦୁଇ ପରିଚାଳକଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜ୍ଜୁ କରିଛି । ଅନ୍ୟପକ୍ଷରେ ଛାତ୍ରୀମାନଙ୍କର ଅଭିଭାବକଗଣ ଅଭିଯୋଗ କରିଛନ୍ତି ଯେ, ପୁଲିସ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ବରଂ ପୁଲିସ ସେମାନଙ୍କୁ ସୁରକ୍ଷା ଦେଉଛି । ଏପରିକି ଏହି ଘଟଣାକୁ ଅତିରଞ୍ଜିତ କରି ପ୍ରଚାର କରୁଥିବା ଅଭିଯୋଗ ଆଣି ଦୁଇ ପରିଚାଳକଙ୍କ ଦ୍ୱାରା ପୁଲିସ ସ୍ଥାନୀୟ ଜଣେ ସାମ୍ବାଦିକଙ୍କ ନାମରେ ମଧ୍ୟ ମିଛ ମାମଲା ଦାଏର କରିଛି । ଛାତ୍ରୀମାନଙ୍କୁ ପରୀକ୍ଷାରେ ଫେଲ କରିଦିଆଯିବା ଧମକ ଦିଆଯାଇ ସେମାନଙ୍କ ମୁହଁ ବନ୍ଦ ରଖିବାକୁ ଚାପ ପକାଯାଉଥିବା ସେମାନଙ୍କ ଅଭିଭାବକମାନେ କହିଛନ୍ତି । ତାହାସହିତ ସେମାନଙ୍କ ବାପା ମା’ଙ୍କୁ ହତ୍ୟା କରାଯିବା ଧମକ ଏହି ଛାତ୍ରୀମାନଙ୍କୁ ମଧ୍ୟ ଦିଆଯାଇଛି । ଜଣାଯାଇଛି ଯେ ଘଟଣା ଘଟିବା ପରଦିନଠାରୁ ଏହି ୧୭ ଛାତ୍ରୀ ବିଦ୍ୟାଳୟ ଯିବା ବନ୍ଦ କରିଦେଇଥିଲେ ଏବଂ ନିଜ ନିଜ ଘରେ ସବୁକଥା କହିଥିଲେ ।

Comments are closed.