ଅର୍ଥନୈତିକ ଅଭିବୃଦ୍ଧି ଓ ବଜେଟ

ମହାମାରୀର ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ଜରୁରୀ

ସଂସଦର ବଜେଟ ଅଧିବେଶନ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହେଉଛି। ଫେବୃଆରୀ ପହିଲା ପୂର୍ବାହ୍ଣ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଆଗତ କରିବେ। ଏବେ ସମଗ୍ର ବିଶ୍ୱରେ କରୋନା ମହାମାରୀ, ଲକ୍‌ଡାଉନ ଓ ତତ୍‍ଜନିତ ଆର୍ଥିକ ମାନ୍ଦାବସ୍ଥା ଏବଂ ଟିକାକରଣକୁ ନେଇ ତତ୍ପରତା ଜାରି ରହିଛି। ଏହି ମହାମାରୀ ଯୋଗୁ ଦେଶର ଆର୍ଥିକସ୍ଥିତି ଦୋହଲିଯାଇଛି। ଏବେ ଦେଶର ଅର୍ଥନୀତି କ୍ରମଶଃ ସୁଧୁରିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ଅଭିବୃଦ୍ଧି ଉପରେ କେନ୍ଦ୍ର ସରକାର କରିଥିବା ଆକଳନକୁ କିପରି ହାସଲ କରାଯାଇପାରିବ ତାହା ଏବେ ଚିନ୍ତାର ବିଷୟ। ତେଣୁ ଆଗାମୀ ସାଧାରଣ ବଜେଟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ଆହ୍ୱାନ ସଦୃଶ। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁଯାୟୀ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୭.୭ ପ୍ରତିଶତରେ ରହିବ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଜିଡିପି (-୨୩.୯) ପ୍ରତିଶତ ରହିଛିି। ଚଳିତ ବର୍ଷ ଜିଡିପି ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇ ୭ରୁ ୮ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି। କରୋନା ପାଇଁ ଗତବର୍ଷ ପ୍ରାୟ ୯ମାସ ବିଭିନ୍ନ ସଂସ୍ଥାର କାର୍ଯ୍ୟ ବନ୍ଦ ଥିଲା। ୨୦୨୦ ଡିସେମ୍ବର ପର ଠାରୁ ଆର୍ଥିକ ଗତିବିଧି ଆରମ୍ଭ ହୋଇଛି। ଭାରତର ଅର୍ଥନୀତି ପୁନର୍ବାର ଗତିଶୀଳ ହୋଇଛି। ୨୩.୯ ପ୍ରତିଶତ ଜିଡିପି ହ୍ରାସ ପାଇବା ପରେ ବର୍ତ୍ତମାନ ଏଥିରୁ ମୁକୁଳିବା ପାଇଁ ସରକାର ପ୍ରୟାସ ଜାରି ରଖିିଛନ୍ତି। ଏହାର ସିଧାସଳଖ ପ୍ରତିଫଳନ ବଜେଟରେ ଦେଖିବାକୁ ମିଳିପାରେ।

ଗତବର୍ଷ ପ୍ରଥମ ୩ମାସ ମଧ୍ୟରେ ଛୋଟବଡ଼ ସମସ୍ତ ଶିଳ୍ପ ବନ୍ଦ ହୋଇଯାଇଥିଲା। ଇସ୍ପାତ, ବିଦ୍ୟୁତ୍‌, ସିମେଣ୍ଟ, ଖଣିଜ ଶିଳ୍ପ, ତୈଳ, ଗ୍ୟାସ ଏବଂ କୋଇଲା ଭଳି ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ବନ୍ଦ ହୋଇଯାଇଥିଲା। ତେଣୁ ପ୍ରଥମ ୩ ମାସରେ ନିମ୍ନଗାମୀ ଜିଡିପିକୁ ରୋକିବା ସମ୍ଭବପର ହୋଇ ନଥିଲା। ବର୍ତ୍ତମାନ ସନ୍ତୋଷଜନକ ବିଷୟ ହେଉଛି ଯେ ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମେତ ଏକାଧିକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ପୂର୍ବାନୁମାନ କରିଛନ୍ତି। ରୁଗ୍‌ଣ ହୋଇପଡିଥିବା ଉପଭୋକ୍ତା ସାମଗ୍ରୀ ଉତ୍ପାଦନ, ଅଟୋମୋବାଇଲ ଶିଳ୍ପ, ସେବା କ୍ଷେତ୍ର ଆଦିି ସଙ୍କଟରୁ ମୁକୁଳିବାରେ ଲାଗିଛନ୍ତି। ତଥାପି ଭାରତୀୟ ବଜାରରେ ଚାହିଦା ସଙ୍କଟ ଜାରି ରହିଛି; କାରଣ ଲୋକଙ୍କ ନିକଟରେ ନଗଦ ଅର୍ଥର ଅଭାବ ଦେଖାଦେଇଛି। ଏହା ରୋଜଗାର ସହିତ ସିଧାସଳଖ ଜଡିତ। ତାଲାବନ୍ଦୀ ସମୟରେ ଚାକିରି ହରାଇଥିବା ଲୋକ ଏ ପର୍ଯ୍ୟନ୍ତ ନିଯୁକ୍ତି ପାଇ ନାହାନ୍ତି। ଚାହିଦା ନଥିବାରୁ ଶିଳ୍ପସଂସ୍ଥାଗୁଡିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ଆର୍ଥିକ ସଙ୍କଟ ରୋକିବା ପାଇଁ ଶ୍ରମ ଓ କୃଷି ଭଳି ଗୁୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ସରକାର ଏକାଧିକ ପ୍ୟାକେଜ ମାଧ୍ୟମରେ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି। ନିକଟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଅନାଦାୟ ଋଣର ପରିମାଣ ୧୩.୫କୁ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି। ସେପ୍ଟେମ୍ବର ୨୦୧୯ରେ ଏହା ୭.୫ ପ୍ରତିଶତ ଥିଲା। ରିଜର୍ଭ ବ୍ୟାଙ୍କ ଏହାକୁ ନିୟନ୍ତ୍ରଣ କରିବାକୁ ଚେତାବନୀ ଦେଇଛିି। ମହାମାରୀ ସମୟରେ ଲୋକ ରୋଜଗାର ହରାଇବା ଫଳରେ ଋଣ ଶୁଝିପାରୁନାହାନ୍ତି।
ଏବେ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ଏକାଧିକ ଫର୍ମ ଭରିବାକୁ ପଡ଼ୁଥିବାରୁ ଆକାଉଣ୍ଟିଂ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି। ବାର୍ଷିକ ୫ କୋଟିରୁ ଊର୍ଦ୍ଧ୍ବ ଟର୍ଣ୍ଣଓଭର ଥିବା ବଡ଼ କମ୍ପାନୀଗୁଡ଼ିକ ମାସିକ ଜିଏସଟି ଭରୁଛନ୍ତି। ସେହିପରି ଏହାଠାରୁ କମ୍‍ ଟର୍ଣ୍ଣଓଭର ଥିବା କମ୍ପାନୀଗୁଡ଼ିକ ତ୍ରୈମାସିକ ଜିଏସଟି ଭରୁଥିଲେ ହେଁ ପ୍ରତି ମାସରେ ଟିକସ ଦେଉଛନ୍ତିି। ତେଣୁ ସମୟର ତାରତମ୍ୟ ଦୂର କରି ଏଥିରେ ସମାନତା ଆଣିବା ଜରୁରୀ। ଛୋଟବଡ଼ ସମସ୍ତ କମ୍ପାନୀ ଯେପରି ସମାନ ସମୟରେ ଜିଏସଟି ଭରିପାରିବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ଆୟକର ଅଧିନିୟମ ୮୦-ସିସିଇ ଅଧିନିୟମ ଅନ୍ତର୍ଗତ ସେକ୍‍ସନ ୮୦ସି, ୮୦ସିସିସି ଓ ୮୦ସିସିଡି(୧) ଅନୁଯାୟୀ ଗୋଟିଏ ଆର୍ଥିକ ବର୍ଷରେ ୧.୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଛାଡ଼ କରାଯାଉଛି। ୨୦୧୪ରେ ଏହି ସୀମାକୁ ୧ଲକ୍ଷରୁ ବୃଦ୍ଧି କରାଯାଇ ଦେଢ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ୨୦୦୩ରେ ଅର୍ଥାତ୍‍, ପ୍ରାୟ ୧୮ ବର୍ଷ ପୂର୍ବେ ଆୟକର ଛାଡ଼ ଏକ ଲକ୍ଷ ଟଙ୍କା ଥିଲା। କେବଳ ୨୦୧୪ରେ ଏଥିରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା। ଏହା ସେ ସମୟର ମୁଦ୍ରାସ୍ଫୀତି ହାରଠାରୁ ବହୁତ କମ୍‍ ଥିଲା। ତେଣୁ ଆଗାମୀ ବଜେଟରେ ଆୟକର ଛାଡ଼ ସର୍ବନିମ୍ନ ଅଢେଇ ଲକ୍ଷ କରିବା ଆବଶ୍ୟକ ବୋଲି ସରକାରଙ୍କୁ କେତେକ ଅର୍ଥନୀତିଜ୍ଞ ପରାମର୍ଶ ଦେଇଛନ୍ତି। ସରକାରଙ୍କୁ ୧୫ଶ ଅର୍ଥ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବାକୁ ପଡିବ। ଜିଡିପି ୭ରୁ ୮ ପ୍ରତିଶତ ମଧ୍ୟରେ ରହିବ ବୋଲି କୁହାଯାଉଛି। ତେବେ ଏ ପର୍ଯ୍ୟନ୍ତ ମହାମାରୀର ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇନାହିଁ।

କେବଳ ନିଜ ଦେଶପାଇଁ ବଜେଟ ପ୍ରସ୍ତୁତ କରାଯାଏ ନାହିଁ। ସମଗ୍ର ବିଶ୍ୱର ଆର୍ଥିକ ପରିସ୍ଥିତିକୁ ନଜର ରଖାଯାଇ ବଜେଟ ପ୍ରସ୍ତୁତ କରାଯାଇଥାଏ। ଭାରତ ପରି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶର ବଜେଟକୁ ବିଶ୍ୱର ଖ୍ୟାତନାମା ଅର୍ଥନୀତିଜ୍ଞ ତର୍ଜମା କରିଥା’ନ୍ତି। କରୋନା ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଦେଶର କୌଣସି ଅର୍ଥମନ୍ତ୍ରୀ ବଜେଟ ପୂର୍ବରୁ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇନଥିଲେ। ଆଗାମୀ ବଜେଟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି ଖସଡ଼ାର ସ୍ୱଚ୍ଛ ରୂପରେଖ ଜନସାଧାରଣଙ୍କ ସମ୍ମୁଖରେ ରଖିବା ଜରୁରୀ।

Comments
Loading...