ଶିବସେନା-ବିଜେପି ସରକାରରେ ରାଜ୍ୟର ୧୬ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି: ପାୱାର

ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା-ବିଜେପି ଶାସନର ଗତ ୫ବର୍ଷ ଭିତରେ ରାଜ୍ୟରେ ୧୬ ହଜାର ଚାଷୀ ଆତ୍ମହତ୍ୟା କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ମୁମ୍ବଇରେ ଏକ ନିର୍ବାଚନୀ ପ୍ରଚାର ରାଲିରେ ଉଦବୋଧନ ଦେବା ସମୟରେ ଏପରି ଅଭିଯୋଗ ଆଣିଛନ୍ତି। ସମାଜର କୌଣସି ବର୍ଗର ଲୋକ ଶିବସେନା-ବିଜେପି ସରକାରରେ ଖୁସି ନାହାନ୍ତି। ଗ୍ରାମାଞ୍ଚଳରେ ଲୋକମାନେ ବିଜେପି-ଶିବସେନା ସରକାର ସମୟରେ ଯେତେ ଦୁର୍ଦ୍ଦଶା ଭୋଗୁଛନ୍ତି, ତାହା ପୂର୍ବରୁ କେବେ ଭୋଗି ନ ଥିବା ମୋତେ କହୁଛନ୍ତି ବୋଲି ପାୱାର କହିଛନ୍ତି।

ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ନାଗପୁରରେ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ-ଏନସିପିକୁ ମିଳିତ ଭାବେ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, କଂଗ୍ରେସ ଏବଂ ଏନସିପି ସେମାନଙ୍କ ନିର୍ବାଚନ ଇସ୍ତାହାରରୁ କେବଳ ୨ଟି ଜିନିଷକୁ ବାଦ୍‌ ଦେଇଛନ୍ତି। ପ୍ରଥମଟି ହେଉଛି ସେମାନେ ପ୍ରତି ପରିବାର ପାଇଁ ଗୋଟିଏ ତାଜମହଲ ନିର୍ମାଣ କରିବେ ଏବଂ ୨ୟଟି ହେଲା ପ୍ରତ୍ୟେକ ପରିବାରକୁ ଚନ୍ଦ୍ରରେ ଜାଗା ଯୋଗାଇଦେବା।

Comments are closed.