୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି – ଯୋଗାଣ ମନ୍ତ୍ରୀ

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି ଏବଂ ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବିଧାନସଭାରେ କହିଛନ୍ତି। ସେ କହିଛନ୍ତି ଯେ ଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି। ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି।

ସେ ସୂଚନା ଦେଇଛନ୍ତି ଯେ ରାଜ୍ୟରେ ଚଳିତ ଖରିଫ ଅବଧିରେ ୧୧,୪୪୧ କୋଟି ଟଙ୍କାର ସର୍ବମୋଟ ୬୧.୨୪ ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ କରାଯାଇଛି। ଧାନ କିଣା କାର୍ଯ୍ୟକ୍ରମ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସେ କହିଛନ୍ତି। ଗତ ଖରିଫ ସମୟରେ ୫୧.୭୩ ଲକ୍ଷ ମେଟ୍ରିକ ଟନ୍‍ ଧାନ କ୍ରୟ କରାଯାଇଥିଲା। ସେହିପରି ୨୦୧୭-୧୮ରେ ୬.୮୭ ଲକ୍ଷ ଚାଷୀଙ୍କ ଠାରୁ ୫,୯୨୩ କୋଟି ଟଙ୍କାର ୫୧.୫୬ ଲକ୍ଷ ମେଟ୍ରିକ ଟନ୍‍, ୨୦୧୮-୧୯ରେ ୮.୬୪ ଲକ୍ଷ ଚାଷୀଙ୍କ ଠାରୁ ୯,୦୨୪ କୋଟି ଟଙ୍କାର ୩୮.୨୧ ଲକ୍ଷ ମେଟ୍ରିକ ଟନ୍‍ ଓ ୨୦୧୯-୨୦ରେ ୯.୫୬ ଲକ୍ଷ ଚାଷୀଙ୍କ ଠାରୁ ୯,୬୭୬ କୋଟି ଟଙ୍କାର ୫୩.୩୧ ଲକ୍ଷ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି।

Comments are closed.