ଭୁବନେଶ୍ୱରରେ ଆଉ ୧୬ କରୋନା ପଜିଟିଭ ରୋଗୀ ଚିହ୍ନଟ, ଓଡ଼ିଶାରେ ୩୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ଜଣଙ୍କଠାରେ କରୋନା ଭୁତାଣୁ ସଂକ୍ରମଣ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସହ ୩୯କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତ ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରିଛି। ସମ୍ପୃକ୍ତ ବମିଖାଲ ଅଂଚଳକୁ ସିଲ କରାଯିବା ସହ ସଂକ୍ରମଣ ମୁକ୍ତ କରାଯାଇଛି ତେବେ ଏବେ ସେହି ଅଂଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି। ଅନ୍ୟ ପକ୍ଷରେ ମୋଟ ୨୯ ଜଣ ସଂକ୍ରମିତଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରେ ୩୨ ଜଣ ରହିଛନ୍ତି।

ସମସ୍ତ ସନ୍ଦିଗ୍ଧ ଏବଂ କରୋନା ପୀଡିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି ଓ ଅପିଲ କରିଛନ୍ତି ଯେ ସେମାନେ ୧୦୪କୁ କଲ କରି ପଞ୍ଜିକରଣ କରାଇନିଅନ୍ତୁ।

ଲୋକମାନେ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ଜରିଆରେ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଲକ୍ ଡାଉନକୁ ମାନି ଚଳନ୍ତୁ ଏବଂ ଘରୁ ବାହାରନ୍ତୁ ନାହିଁ ବୋଲି ପୁନର୍ବାର ନିବେଦନ କରିଛନ୍ତି।

ଅନ୍ୟ ଏକ ଟ୍ୱିଟରେ ମୁଖ୍ୟମନ୍ତ୍ରୀ ସାମାଜିକ ଦୂରତ୍ୱ କଟକଣା ପାଳନକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିରୋ ଟଲେରାନ୍ସ ନୀତି ଭଳି କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକାରୀ କାହାରିକୁ ଛଡ଼ାଯିବ ନାହିଁ। ସେମାନଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହେବ। ନିୟମ ଉଲ୍ଲଂଘନ କରୁଥିବା ଦୋକାନ ଏବଂ ବଜାରକୁ ସିଲ୍ କରିଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।

Comments are closed.