ମୁମ୍ବଇ, ପୁଣେ, ନାଗପୁର ବନ୍ଦ
ନୂଆଦିଲ୍ଲୀ/ମୁମ୍ବଇ, ୨୦ା୩ (ଏଜେନ୍ସି)
n ଦିନକୁ ଦିନ ମହାମାରୀ କରୋନା ଭୟଙ୍କର ରୂପ ନେଉଛି। ପ୍ରତିଦିନ ଏହାର କବଳକୁ ଏକାଧିକ ଦେଶ ଟାଣିହୋଇ ଆସୁଥିବାବେଳେ ସଂକ୍ରମିତ ଦେଶଗୁଡ଼ିକରେ ରୋଗୀ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ରାତି ସୁଦ୍ଧା ବିଶ୍ବର ୧୮୩ଟି ଦେଶ କରୋନା ସଂକ୍ରମିତ ହୋଇଥିବା ବେଳେ ୧୧, ୧୮୬ଜଣଙ୍କ ମୃତ୍ୟୁ ଘଟିଲାଣି। ଭାରତରେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫ରେ ପହଞ୍ଚିଛି ଏବଂ ସଂକ୍ରମିତଙ୍କ ସଂଖ୍ୟା ୨୨୩ରେ ପହଞ୍ଚିଛି। ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମହାରାଷ୍ଟ୍ର ସରକାର ମୁମ୍ବଇ, ପୁଣେ, ପିମ୍ପ୍ରି, ଚିଞ୍ଚୱାଡ଼ ଏବଂ ନାଗପୁର ଆଦି ସହରରେ ସମସ୍ତ କାର୍ଯ୍ୟାଳୟ, ଦୋକାନ ବଜାର ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ରୋକିବା ଲାଗି ରବିବାର ‘ଜନତା କର୍ଫ୍ୟୁ’ ପାଳନ ଲାଗି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ସ୍ଥରରେ ପଦକ୍ଷେପ ନିଆଯାଇଛି। ବିଭିନ୍ନ ରାଜ୍ୟରେ ଏହିଦିନକୁ ଏକ ପ୍ରକାର ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରେଳବାଇ ଏହି ଦିନ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି।
ସାରା ବିଶ୍ବରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇ ୧୧,୧୮୬କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ

୬୬ହଜାରରୁ ଅଧିକ ହୋଇଛି। ଏବେ ଏହା ସହିତ ଭୂତାଣୁ ସଂକ୍ରମଣ ୧୮୩ଟି ଦେଶକୁ ବ୍ୟାପିଛି। ଇଟାଲୀ ଏବେ ବିଶ୍ବର ସର୍ବାଧିକ ପ୍ରବାବିତ ଦେଶ ହୋଇଛି। ଏଠାରେ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଛି। ଶୁକ୍ରବାର ଗୋଟିଏ ଦିନରେ ଏହି ଦେଶରେ ୬୦୦ରୁ ଅଧିକ ପ୍ରାଣ ହରାଇଛନ୍ତି। ସେହିପରି ବ୍ରିଟେନ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ୨୦୦ ଲୋକ ପ୍ରାଣ ହରାଇଲେଣି। ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୪ ହୋଇଥିବାବେଳେ ୪୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସ୍ପେନ ଓ ଇରାନରେ ମୃତ୍ୟୁସଂଖ୍ୟା ୧୦୦୦ ଅତିକ୍ରମ କରିସାରିଲାଣି।
ଶୁକ୍ରବାର ଭାରତରେ ପ୍ରାଣ ହରାଇଥିବା ସଂକ୍ରମିତ ଜଣଙ୍କ ଇଟାଲୀୟ ନାଗରିକ। ସେ ରାଜସ୍ଥାନ ଜୟପୁରର ଫର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ ବିଦେଶୀ ଜଣଙ୍କ ହେଉଛନ୍ତି ଆଣ୍ଡ୍ରି କାର୍ଲେ (୬୯)। ତିନିଦିନ ତଳେ ଆଣ୍ଡ୍ରି ସଂକ୍ରମଣ ମୁକ୍ତ ହୋଇଥିବା ନେଇ ରାଜସ୍ଥାନ ସରକାର ଘୋଷଣା କରିଥିଲେ। ଆଣ୍ଡ୍ରିଙ୍କ ମୃତ୍ୟୁକୁ ମିଶାଇ ଭାରତରେ କରୋନା ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ଏହା ପୂର୍ବରୁ କର୍ଣ୍ଣାଟକ, ଦିଲ୍ଲୀ, ମୁମ୍ବଇ ଓ ପଞ୍ଜାବରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଭାରତରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ସହିତ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୨୨୩ରେ ପହଞ୍ଚିଛି। ଏପରିକି ଶୁକ୍ରବାର ଗୋଟିଏ ଦିନରେ ୬୩ଜଣ ସଂକ୍ରମିତ ହୋଇଛନ୍ତି।
ଏହି ରୋଗର ପ୍ରାବଲ୍ୟକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‍ରେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଠାକ୍‍ରେ କହିଛନ୍ତି ଯେ ଏହା ଏକ ବିଶ୍ୱଯୁଦ୍ଧ। ସାଧାରଣତଃ ସମୁଦାୟ ବିଶ୍ୱ ମୁହୂର୍ତ୍ତକ ପାଇଁ ନ ଅଟକି ବଞ୍ଚିରହିବାକୁ ଚାହେଁ। ସମ୍ପ୍ରତି ବଞ୍ଚିରହିବା ପାଇଁ ସମୁଦାୟ ବିଶ୍ୱ ନିଜ ଘରଭିତରେ ରହିବାକୁ ଚାହୁଁଛି। ସେ କହିଛନ୍ତି, କ୍ରିକେଟ ଜଗତ ଏବଂ ବଲିଉଡ୍‌ ସହିତ ସଂପୃକ୍ତ ବ୍ୟକ୍ତିବିଶେଷମାନେ ଆଗେଇ ଆସିଛନ୍ତି ଏବଂ ଜନସାଧାରଣଙ୍କୁ ନିଜ ଘରେ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ଆଗାମୀ ୧୫ଦିନ ମଧ୍ୟରେ ଆମକୁ ସମସ୍ତ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରିବାକୁ ହେବ। ମହାରାଷ୍ଟ୍ର ସରକାର ଅନିଚ୍ଛାକୃତ ଭାବେ ଜନସାଧାରଣଙ୍କ ପାଇଁ କେତେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡାକ୍ତର, ନର୍ସ, ସରକାରୀ କର୍ମଚାରୀ, ପୌର ନିଗମ କର୍ମଚାରୀମାନେ ଟ୍ରେନ, ବସ୍‌ ସେବା ବ୍ୟବହାର କରୁଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇ ପାରିବ ନାହିଁ। କିନ୍ତୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଉପସ୍ଥାନ ୫୦% ହ୍ରାସ କରିବାକୁ ସରକାର
ପୂର୍ବରୁ ନିଷ୍ପତ୍ତି ନେଇଥିବାବେଳେ ଏବେ କେବଳ ୨୫% କର୍ମଚାରୀ ଉପସ୍ଥିତ ରହିବାକୁ କୁହାଯାଇଛି। କେବଳ ଦୁଗ୍ଧ, ତେଜରାତି ଦୋକାନ, ଔଷଧ ଦୋକାନ, ବ୍ୟାଙ୍କ, ହସପିଟାଲ, ପୌରନିଗମ, ଜଳଯୋଗାଣ, ସ୍ୱେରେଜ ଭଳି ଅତ୍ୟାବଶ୍ୟକ ସେବାକୁ ବାଦ୍‍ଦେଲେ ଅନ୍ୟ ସମସ୍ତ ସେବା, ରେସ୍ତୋରଁା, ଦୋକାନ ବଜାର, କାର୍ଯ୍ୟାଳୟ ଆଦିକୁ ବନ୍ଦ କରିଦିଆଯାଇଛି। ମୁମ୍ବଇ, ପୁଣେ, ପିମ୍ପ୍ରି, ଚିଞ୍ଚୱାଡ, ନାଗପୁର ଆଦି ସ୍ଥାନରେ ଏଭଳି ଆଦେଶ କାର୍ଯ୍ୟକାରୀ ହୋଇଛି। ଏହା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଏହି ସମୟରେ ବ୍ୟାଙ୍କଗୁଡିକ ଖୋଲା ରହିବ। ଜନସାଧାରଣ ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ଶ୍ରୀ ଠାକ୍‍ରେ ନିବେଦନ କରିଛନ୍ତି।
ମୁମ୍ବଇ, ପୁଣେ…

Comments are closed.