ବିଜାପୁର ଏନକାଉଣ୍ଟର; ଏବେ ବି ୧୫ ଯବାନ ନିଖୋଜ, ସମବେଦନା ଜଣାଇଲେ ଗୃହ ମନ୍ତ୍ରୀ

ସୁକମା: ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବାବେଳେ ଏବେ ବି ୧୫ ଯବାନ ନିଖୋଜ ରହିଛନ୍ତି। ଯବାନମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନ ଥିବା ଜଣାପଡ଼ିଛି।

ଗତ ଶନିବାର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ସମୟରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୫ ଯବାନ ଶହୀଦ ହୋଇଥିବାବେଳେ ୩୦ ଯବାନ ଆହତ ହୋଇଥିଲେ। ଅନ୍ୟପଟେ ଶହୀଦ ହୋଇଥିବା ୫ ଯବାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇପାରିଛି। ଘଟଣାସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ଜବତ ହୋଇଛି। ଆହତ ହୋଇଥିବା ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାହ କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାକୁ କେବେ ଭୁଲିବ ନାହିଁ। ଶହୀଦ ଯବାନଙ୍କ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି।

Comments are closed.