ତାମିଲନାଡୁରେ ବର୍ଷା ବିତ୍ପାତ: କାନ୍ଥ ଭୁଶୁଡ଼ି ୧୫ ମୃତ

ଚେନ୍ନାଇ: ତାମିଲନାଡୁରେ ବର୍ଷା ବିତ୍ପାତ ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରାଜ୍ୟର ମେଟ୍ଟୁପାଲୟମ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏଥିରେ ଅନ୍ୟ କେତେଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ପୁଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହ କାରଣରୁ ତାମିଲନାଡୁ ସମେତ ପଡ଼ୋଶୀ ପୁଡୁଚେରୀର ଅନେକ ଅଞ୍ଚଳରେ ୨୪ ଘଣ୍ଟାରୁ ଅଧିକ ସମୟରେ ଧରି ପ୍ରବଳ ବର୍ଷା ଲାଗି ରହିଛି। ରବିବାର ବର୍ଷା ଯୋଗୁ ମେଟ୍ଟପାଲୟମର ନାଦୁର କନ୍ନପନ୍ନ ଲେଆଉଟ୍‌ ଅଞ୍ଚଳରେ ପାଣି ଜମି ରହିଥିଲା। ସୋମବାର ଭୋର ସମୟରେ ଏହି ଅଞ୍ଚଳରେ ଥିବା ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ଘରେ ୧୫ରୁ ଅଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ଷା ଯୋଗୁ ପୁଡୁଚେରୀରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ସେହିପରି ମାଡ୍ରାସ ବିଶ୍ଵବିଦ୍ୟାଳୟ ଏବଂ ଅନ୍ୟ ବିଶ୍ଵବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏନ. ପୁବିରାସନ କହିଛନ୍ତି ଯେ, ଆଗାମୀ ୨୪ରୁ ୨୮ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ରାମନାଥପୁରମ, ତିରୁନେଲଭେଲି, ତୁତୀକୋରିନ, ବେଲ୍ଲୋର, ତିରୁଭନ୍ନମଲାଇ ଜିଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇପାରେ।

Comments are closed.