ଖୋର୍ଦ୍ଧା ସବ୍ ଡିଭିଜନ ଅଧିନ ସମସ୍ତ ଶୈବପୀଠ ଓ ଝାରସୁଗୁଡା ଜିଲାର ୧୩୧ ଶୈବପୀଠରେ ଲାଗିଲା ୧୪୪ ଧାରା

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଚଳିତ ବର୍ଷ ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏଥି ସହିତ ରାଜ୍ୟର ସମସ୍ତ ଜିଲା ପଅଶାସନକୁ ମଧ୍ୟ ଏନେଇ କଡା ନିୟମ ପାଳନ କରିବାକୁ କୁହାଯାଇଥିଲା। ଯେପରି କୌଣସି ସ୍ଥାନରେ ବୋଲବମ୍ ଯାତ୍ରା ନହୁଏ ସେଥିପ୍ରତି କଡା ଦୃଷ୍ଟି ଦେବାକୁ କୁହାଯାଇଥିଲା। ସରକାରଙ୍କ ନିର୍ଦେଶ ପରେ ଆଜି ଖୋର୍ଦ୍ଧା ସବ ଡିଭିଜନ ଅଧୀନ ସବୁ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି । ଜୁଲାଇ ୩୧ ତାରିଖ ଯାଏଁ ଖୋର୍ଦ୍ଧା ସବ ଡିଭିଜନ ଅଧୀନ ସବୁ ଶୈବପୀଠରେ ୧୪୪ ଧାରା ଜାରି କଲେ ଉପଜିଲ୍ଲାପାଳ । ଟାଙ୍ଗୀ, ବାଣପୁର, ବାଲୁଗାଁ, ବେଗୁନିଆ, ବୋଲଗଡର ଶୈବପୀଠରେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ମିଳିଛି । କୌଣସି କାଉଡିଆ ଜଳାଶୟରୁ ପାଣଇ ଉଠାଇ ରାସ୍ତାରେ ଯିବା, ଶିବ ମନ୍ଦିର ଯାଇ ଜଳାଭିଷେକ କରିବାକୁ ମନା କରାଯାଇଛି ।

ସେହିପରି ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ଝାରସୁଗୁଡା ଜିଲାର ୧୩୧ ଶିବାଳୟ ରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ଆସନ୍ତା କାଲିଠାରୁ ଶ୍ରାବଣ ମାସ ଆରମ୍ଭ । ଶିବ ମନ୍ଦିରରେ ଜଳାଭିଷେକ ପାଇଁ ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ସମ୍ଭାବନା କୁ ପ୍ରତିହତ କରିବାକୁ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ସହିତ ଶ୍ରାବଣ ମାସର ସବୁ ରବିବାର ଓ ସୋମବାର ଦିନ ସମସ୍ତ ଶିବାଳୟ ରେ ୧୪୪ ଧାରା ଲାଗୁ କରାଯିବ ବୋଲି ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Comments are closed.