ସବୁ ସହରରେ ୧୪୪

ରାତିବେଳା ବୁଲାବୁଲି ମନା, -କଟକଣାରୁ ଅତ୍ୟାବଶ୍ୟକ ସେବା ବାଦ୍‌

ଭୁବନେଶ୍ୱର : ଶନିବାର ରାତିରୁ ସାରା ରାଜ୍ୟରେ ଲାଗୁ ହୋଇଛି ରାତିକାଳୀନ ଚଳପ୍ରଚଳ କଟକଣା। ୧୦ ଜିଲାରେ ସମୟ ପରିବର୍ତ୍ତିତ ହୋଇଥିବା ବେଳେ ୨୦ ଜିଲାର ସହର ପୁଣି ଫେରିଛି ରାତିକାଳୀନ କଟକଣା। କଟକ ଓ ଭୁବନେଶ୍ୱର ସହରାଞ୍ଚଳରେ ୧୪୪ ଧାରା ହେବା ସହ ପୁଲିସ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ୨୦ ଜିଲାର ସହରାଞ୍ଚଳ​‌େ​‌ର ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ। ଏହି ସମୟରେ ବାହାରେ ବୁଲିବାକୁ କଡ଼ା ବାରଣ କରାଯାଇଛି। ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟକ୍ତି ତଥା ସଂସ୍ଥା ବ୍ୟତୀତ ଅନ୍ୟମାନଙ୍କୁ ବାହାରକୁ ବାହାରିବା ମନା ହୋଇଛି। ଏହି ସମୟରେ ରାଜଧାନୀ ଓ କଟକରେ ପୁଲିସ ପଇଁତରା ବଢିଛି। ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ଅନ୍ୟାନ୍ୟ ସେବାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ନିଜ ସଂସ୍ଥା ଦ୍ୱାରା ପ୍ରଦତଃ ପରିଚୟପତ୍ର ଦେଖାଇ ସେମାନେ ଯାଆସ କରିପାରିବେ। ଏହାସହ ରେଳ ଷ୍ଟେସନ, ବିମାନ ବନ୍ଦର ଯାଉଥିବା ମାଲ ପରିବହନକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ଜରୁରୀ ଚିକିତ୍ସା ପାଇଁ ଯାଉଥିଲେ ତତ୍‌ସମ୍ବନ୍ଧୀୟ କାଗଜପତ୍ର ଦେଖାଇବାକୁ ପଡ଼ିବ। ରାତି କଟକଣା ପୂର୍ବରୁ ସମସ୍ତ ସହରରେ ଲୋକମାନଙ୍କୁ ପୁଲିସ ପକ୍ଷରୁ ସଚେତନ କରାଯାଇଛି।
ଅଧିକ ପ୍ରଭାବିତ ନୂଆପଡା ଜିଲାର ଖଡିଆଳ ବିଜ୍ଞପିତ ଅଞ୍ଚଳରେ ଆଜିଠାରୁ ୨୨ ତାରିଖ ଯାଏଁ ଦୋକାନ, ବଜାର ବନ୍ଦ ରହିବ । ତେବେ ସୁନ୍ଦରଗଡ ହେଉ କି ନବରଙ୍ଗପୁର ସବୁଠି ତୁଣ୍ଡି ଯାଞ୍ଚ (ମାସ୍କ ଚ୍ୟାକିଂ) ସହ ନିୟମ ପାଳନକୁ କଡାକଡି କରାଯାଇଛି ।

Comments are closed.