ପଞ୍ଚଲିଙ୍ଗେଶ୍ୱର, ଭୂଧାରଚଣ୍ଡୀ ଓ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ପର୍ଯ୍ୟଟନ କ୍ଷେତ୍ରମାନଙ୍କରେ ପ୍ରବଳ ଭିଡ଼ ହେଉଥିବା ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କୁ ସଚେତନ କରାଇବା ତଥା ସେମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ପ୍ରାଥମିକସ୍ତରରେ ୩ଟି ପର୍ଯ୍ୟଟନ ସ୍ଥଳୀରେ ୧୪୪ଧାରା ଜାରି କରାଯାଇଛି।

ତୃତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୀଳଗିରି ଜଗନ୍ନାଥ ମନ୍ଦିର, ସଜନାଗଡ଼ର ମା’ ଭୂଧାରଚଣ୍ଡୀ ମନ୍ଦିର ଓ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରକୁ ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟନମାନେ ବୁଲିବାକୁ ଆସନ୍ତି। ସେମାନେ ଏକତ୍ରୀତ ହୋଇ ପୂଜାର୍ଚ୍ଚନା କରିବାକୁ ମନ୍ଦିର ମଧ୍ୟକୁ ପ୍ରବେଶ କରିଥାନ୍ତି। ଏନେଇ ପ୍ରଶାସନ ପକ୍ଷରୁ ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ସେହି ୩ଟି ମନ୍ଦିରରେ ୧୪୪ଧାରା ଜାରି କରିଛନ୍ତି। ଯାହାଦ୍ୱାରା ପର୍ଯ୍ୟଟକମାନେ କେହି ଏକତ୍ରୀତ ହୋଇ ମନ୍ଦିର ଭିତରକୁ ପ୍ରବେଶ କରି ପାରିବେନି ଏବଂ ନିଜ ମଧ୍ୟରେ ଦୂରତା ଅବଲମ୍ବନ କରିବେ। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏହି ଉଦ୍ୟମକୁ କେତେକ ସ୍ୱାଗତ କରୁଥିବା ବେଳେ ବହୁ ଶ୍ରଦ୍ଧାଳୁ ମନଦୁଃଖ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ କରୋନା ପାଇଁ ପ୍ରଶାସନର ଏହି ଉଦ୍ୟମକୁ ସଂଖ୍ୟାଧିକ ଜନସାଧାରଣ ପସନ୍ଦ କରୁଥିବା ଜଣାଯାଇଛି।

Comments are closed.