କଳିଙ୍ଗନଗର ଗୁଳିକାଣ୍ଡକୁ ୧୪ ବର୍ଷ: ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶହୀଦ ସ୍ମୃତି ଦିବସ ପାଳିତ

ଯାଜପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଗୁରୁବାର ୧୪ ବର୍ଷ ପୂର୍ତ୍ତି ହୋଇଛି। ଏହି ଅବସରରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗନଗରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଦିନକୁ ପ୍ରତିବର୍ଷ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି ବିସ୍ଥାପନ ବିରୋଧୀ ଜନମଞ୍ଚ। ଆଜି ପ୍ରଥମେ ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ଠାରେ ପାରମ୍ପରିକ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ବାହାରିଛି। ଏଥିରେ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବହୁ ଆଦିବାସୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଏହି ଶୋଭାଯାତ୍ରା ଡୁବୁରୀ ଛକ ଦେଇ ସମାଧି ସ୍ଥଳ ଆମ୍ବଗାଡ଼ିଆଠାରେ ପହଞ୍ଚିବ। ସେଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ଓ ନେତା ସାମିଲ ହେବେ। ଏଥିସହିତ ବିଭିନ୍ନ ଗଣ ସଂଗଠନମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଆଜିର କାର୍ଯ୍ୟକ୍ରମ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସୂଚନାଯୋଗ୍ୟ, ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ଗତ ୨୦୦୬ ମସିହା ଜାନୁଆରୀ ୨ ତାରିଖରେ ସ୍ଥାନୀୟ ଆଦିବାସୀ ଓ ପୁଲିସ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୧୪ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଜଣେ ପୁଲିସ ମଧ୍ୟ ଶହୀଦ ହୋଇଥିଲେ। ପ୍ରାଣ ହରାଇଥିବା ଆଦିବାସୀମାନଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ଜାନୁଆରୀ ୨ ତାରିଖକୁ ଶହୀଦ ସ୍ମୃତି ଦିବସ ଭାବେ ପାଳନ କରୁଛି।

Comments are closed.