୨୦୦୭ ସେପ୍ଟେମ୍ବର ୨୪ : ୧୪ ବର୍ଷ ତଳେ ଭାରତ ଜିତିଥିଲା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ

ନୂଆଦିଲ୍ଲୀ : ଆଜକୁ ଠିକ୍‌ ୧୪ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧିନ ଭାରତୀୟ କ୍ରିକେଟ ଦଳ ରଚିଥିଲା ଇତିହାସ। ଦକ୍ଷିଣଆଫ୍ରିକାରେ ଅନୁଷ୍ଠିତ ଆଇସିସି ପ୍ରଥମ ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଭାରତ ଫାଇନାଲରେ ପାରମ୍ପାରିକ ପ୍ରତିିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା। ଫାଇନାଲରେ ବୀରେନ୍ଦ୍ର ସେହ୍ବାଗ ଆହତ ହୋଇଥିବାରୁ ଚୂଡାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିଲେ। ଗୌତମ ଗାମ୍ଭୀର ଓ ୟୁସୁଫ ପଠାନ ଓପନିଂ କରିଥିଲେ। ୟୁସୁଫ ପଠାନ ୧୫, ରବିନ ଉଥପ୍ପା ୮, ଯୁବରାଜ ସିଂହ ୧୪ରନ କରିଥିବାବେଳେ ଗମ୍ଭୀର ଚମତ୍କାର ଇନିଂସ ଖେଳି ୫୪ଟି ବଲରୁ ୭୫ରନ କରିଥିଲେ। ରୋହିତ ଶର୍ମା ୧୬ଟି ବଲରୁ ୩୦ରନ କରିଥିଲେ। ଭାରତ ୨୦ ଓଭରରେ ୫ ୱିକେଟ ହରାଇ ୧୫୭ରନ କରିଥିଲା। ଜବାବରେ ପାକିସ୍ତାନ ଏକଦା ୭୭ରନରେ ୬ଟି ୱିକେଟ ହରାଇଥିଲା। ଅଧିନାୟକ ମିସ୍‌ବା ଉଲ୍‌ ହକ୍‌ଙ୍କ ଚମତ୍କାର ଇନିଂସ ବଳରେ ପାକିସ୍ତାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୧୩ରନ ଆବଶ୍ୟକ ଥିଲା । ଧୋନି ଶେଷ ଓଭରରେ ଯୋଗିନ୍ଦର ଶର୍ମାଙ୍କୁ ବୋଲିଂ ଦେଇଥିଲେ। ମିସ୍‌ବା ଓଭରର ଦ୍ବିତୀୟ ବଲକୁ ଛକା ମାରି ଥିଲେ। ଓଭରର ତୃତୀୟ ବଲକୁ ମିସ୍‌ବା ୱିକେଟକିପର ପଛପଟେ ମାରିବାକୁ ଯାଇ ଶ୍ରୀସନ୍ଥଙ୍କ ହାତରେ କ୍ୟାଚ ଆଉଟ୍‌ ହୋଇଥିଲେ। ଶେଷରେ ଭାରତ ୫ରନରେ ଜିତି ପ୍ରଥମ ଟ୍ବେଣ୍ଟି୨୦ ଟ୍ରଫିକୁ ହାସଲ କରିଥିଲା। ଏଥିମଧ୍ୟରେ ୧୪ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତୀୟ କ୍ରିକେଟ ପାଇଁ ଉକ୍ତ ସଫଳତା ତାଜା ହୋଇ ରହିଛି।

Comments are closed.