ବିସ୍ଫୋରଣ ଯୋଜନା ପଣ୍ଡ; ବସ୍‌ରୁ ୧୪ କିଲୋଗ୍ରାମ ଆରଡିଏକ୍ସ ଜବତ

ଶ୍ରୀନଗର: ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସେନା। ଜାମ୍ମ-କାଶ୍ମୀର ପୁଲିସ ସହାୟତାରେ ସେନା ପକ୍ଷରୁ ଏକ ମିଳିତ ଅପରେଶନ କରାଯାଇ ଜାମ୍ମୁ ବସଷ୍ଟାଣ୍ଡ ପାଖ ହୋଟେଲ ନିକଟ ଏକ ବସରୁ ୧୪ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୫ଟାରେ ବିଲାୱର ଅଞ୍ଚଳରୁ ବସ୍‌ଟି ବାହାରିଥିଲା। ବସ୍‌ରେ ମହିଳାଙ୍କ ସହିତ ଜଣେ ବ୍ୟକ୍ତି ଡ୍ରାଇଭରଙ୍କ ନିକଟକୁ ଆସିଥିଲେ। କିଛି ସମୟ ପର୍ଯ୍ୟନ୍ତ ସେମାନେ ଡ୍ରାଇଭର ସହିତ କଥା ହୋଇଥିଲେ। ଏହା ପରେ ସେମାନେ କଣ୍ଡକ୍ଟରକୁ ଏକ ବ୍ୟାଗ୍‌ ଦେଇଥିଲେ। କଣ୍ଡକ୍ଟର ଉକ୍ତ ବ୍ୟାଗକୁ ବସ୍‌ର ସିଟ୍‌ ତଳେ ରଖି ଦେଇଥିଲେ। ବିଶେଷ ସୂତ୍ରରୁ ଖବର ପାଇ ସେନା ପକ୍ଷରୁ ବସ୍‌ର ପିଛା କରାଯାଇଥିଲା। ଜାମ୍ମୁ ବସ୍‌ଷ୍ଟାଣ୍ଡ ନିକଟ ମଣ୍ଡଳ ଏକାଡେମୀ ପାଖରେ ବସ୍‌ଟିକୁ ଅଟକାଯାଇଥିଲା। ପରେ ବସ୍‌ରୁ ବିସ୍ଫୋରକ ଜବତ କରାଯାଇଥିଲା। ପୁଲିସ ବସ୍‌ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଅଟକ ରଖିବା ସହିତ ବସ୍‌ଟିକୁ ଜବତ କରିଛି। ସେମାନଙ୍କୁ ପଚରାଉଚରା କରାଯାଉଛି। ଆତଙ୍କବାଦୀମାନେ ବିସ୍ଫୋରଣ ପାଇଁ ଉକ୍ତ ଆରଡିଏକ୍ସକୁ ବସରେ ରଖିଥିବା ଅଥବା ତାହାକୁ ଅନ୍ୟ କେଉଁସ୍ଥାନରେ ପହଞ୍ଚାଇବାକୁ ଯୋଜନା କରିଥିବା ସନ୍ଦେହ କରାଯାଉଛି।

Comments are closed.