ଆତଙ୍କବାଦ ନିରୋଧ ଅଭିଯାନରେ ଗୁରୁତର ତ୍ରୁଟି, ନାଗାଲାଣ୍ଡରେ ୧୪ ନାଗରିକ ମୃତ

ଗୁଆହାଟି: ନାଗାଲାଣ୍ଡରେ ଘଟିଥିବା ଏକ ଦୁଃଖଦ ଘଟଣା କ୍ରମରେ ସୁରକ୍ଷା ବାହିନୀଙ୍କ ଗୁଳିରେ ୧୪ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟାରେ ରାଜ୍ୟର ସୀମାନ୍ତ ମୋନ ଜିଲାରେ ସୁରକ୍ଷାବାହିନୀ ପକ୍ଷରୁ ହୋଇଥିବା ଆତଙ୍କବାଦ ନିରୋଧ ଅଭିଯାନରେ ଏହି ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତିମାନେ ଏକ କୋଇଲା ଖଣିର ଦିନ ମଜୁରିଆ। ସେମାନେ ଏକ ପିକ୍ଅପ୍‌ ଭ୍ୟାନରେ ଘରକୁ ଫେରୁଥିବା ବେଳେ ସୁରକ୍ଷାବାହିନୀଙ୍କ ଗୁଳିର ଶିକାର ହୋଇଥିଲେ।

ନାଗାଲାଣ୍ଡସ୍ଥିତ ସେନାର ୩ କ୍ରପସ୍‌ କମାଣ୍ଡର ମୁଖ୍ୟାଳୟ କହିବା ଅନୁଯାୟୀ ଆତଙ୍କବାଦ ନିରୋଧ ଅଭିଯାନରେ ଆସାମ ରାଇଫଲ୍ସର ଯବାନମାନେ ସାମିଲ ଥିଲେ। ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏଥିପାଇଁ ମୋନ ଜିଲା ତିରୁ ଗ୍ରାମରେ ସ୍ବତନ୍ତ୍ର ବିଦ୍ରୋହୀ ଦମନ(ସିଆଇ) ଅଭିଯାନ କରାଯାଇଥିଲା। ତେବେ ଏହି ଅଭିଯାନରେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏଥିପାଇଁ ସେନା ପକ୍ଷରୁ ଗଭୀର ଦୁଃଖପ୍ରକାଶ କରାଯାଇଛି। ସେନା ପକ୍ଷରୁ ଏହି ଘଟଣାର ସ୍ବତନ୍ତ୍ର ତଦନ୍ତ ନିର୍ଦେଶ ଦିଆଯାଇଛି। ଏହି ଘଟଣାରେ ସୁରକ୍ଷାବାହିନୀର ଜଣେ ଯବାନ ମଧ୍ୟ ସହିଦ୍‌ ହରାଇଛନ୍ତି। ସେହିପରି ନାଗାଲାଣ୍ଡ ପୁଲିସର କହିବା ଅନୁଯାୟୀ, ସୁରକ୍ଷା ବାହିନୀଙ୍କ ଅଭିଯାନରେ ୧୪ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଭୁଲବଶତଃ ଏହି ଘଟଣା ଘଟିଛି କି ନାହିଁ ତା’ର ତଦନ୍ତ ନିର୍ଦେଶ ଦିଆଯାଇଛି। ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ କେତେକଙ୍କ ମୃତ୍ୟୁ ଘଟିଛି।

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନିଫୁ ରିଓ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହାର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠନ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ରିଓ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ଏହି ଘଟଣା ପରେ ଜରୁରୀ ବୈଠକ ନିମନ୍ତେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟରେ ​ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ସେହିପରି ଗ୍ରୁପ୍ ବାର୍ତ୍ତା ପ୍ରେରଣକୁ ମଧ୍ୟ ବନ୍ଦ କରାଯାଇଛି। ଘଟଣା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଦୁଃଖଦାୟକ କହିଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସେନାମୁଖ୍ୟ ଜେନେରାଲ ଏମଏମ୍ ନରବଣେଙ୍କୁ ଅବଗତ କରାଯାଇଛି। ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ବିଳମ୍ବିତ ରାତିରେ ଏହା ଜଣାପଡିଥିଲା। ଦିନ ମଜୁରିଆମାନେ ନିର୍ଦ୍ଧାରିତ ସମୟରେ ନିଜ ଘରକୁ ନ ଫେରିବାରରୁ ଘଟଣା ସମ୍ପର୍କରେ ଜଣାପଡିଥିଲା।

ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ଶ୍ରମିକଙ୍କୁ ଖୋଜିବା ଲାଗି ଯାଇଥିବା ବେଳେ ପିକ୍ ଭ୍ୟାନରେ ସେମାନଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଉତ୍ୟକ୍ତ ଗ୍ରାମବାସୀ ସୁରକ୍ଷା କର୍ମଚାରୀଙ୍କୁ ଘେରାଉ କରିବା ସହିତ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଅଧିକ କିଛି ଲୋକ ପ୍ରାଣ ହରାଇବା ସହିତ ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ରବିବାର ମଧ୍ୟ ମୋନ ଜିଲାରେ ଥିବା ଆସାମ ରାଇଫଲ ଶିବିରରେ ଗ୍ରାମବାସୀମାନେ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାକୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ଦେଶର ସାଧାରଣ ନାଗରିକ ଓ ସୁରକ୍ଷା ବାହିନୀ କେହି ବି ସୁରକ୍ଷିତ ନୁହନ୍ତି। ତେଣୁ ସ୍ବରାଷ୍ଟ୍ର ମନ୍ତ୍ରୀ କଣ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Comments are closed.