ଏଣିକି ପଶ୍ଚିମ ବଙ୍ଗରୁ ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ: ମୁଖ୍ୟଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ପଶ୍ଚିମ ବଙ୍ଗ ଫେରନ୍ତା ଏବେ ଚିନ୍ତା ବଢ଼ାଇଛି। ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପଶ୍ଚିବ ବଙ୍ଗର ଟ୍ରିପଲ ମ୍ୟୁଟାଣ୍ଟ ବା ‘ବେଙ୍ଗଲ ଷ୍ଟ୍ରେନ’ ଚିନ୍ତାର କାରଣ ପାଲଟିଛି। ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ରାଜ୍ୟ ସରାକାର କଟକଣା ଜାରି କରିଛନ୍ତି।
ପଶ୍ଚମ ବଙ୍ଗରେ ସାଧାରଣ ନିର୍ବାଚନ ଚାଲିଛି। ସେଠାରେ ପ୍ରତିଦିନ ୧୦ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଉଛନ୍ତି। ପଶ୍ଚିମ ବଙ୍ଗରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌ ଠାବ ହୋଇଛି। ନୂଆ ଷ୍ଟ୍ରେନ୍‌ ଟ୍ରିପଲ୍‌ ମ୍ୟୁଟାଣ୍ଟ ଅତି ଘାତକ ଓ ଭୟଙ୍କର ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟ ସରକାର ପଶ୍ଚିବ ବଙ୍ଗ ଫେରନ୍ତା ଉପରେ କଟକଣା ଲଗାଇଛନ୍ତି। ଏଣିକି ପଶ୍ଚିମ ବଙ୍ଗରୁ ଓଡ଼ିଶା ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ପଶ୍ଚିମ ବଙ୍ଗରେ କରୋନା ଉଗ୍ର ରୂପ ନେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ପଶ୍ଚିମ ବଙ୍ଗ ସହ ଲାଗିଥିବା ସବୁ ରାସ୍ତାରେ କଡ଼ାକଡ଼ି ଚେକିଂ ହେବ। ଚେକିଂ କଡ଼ାକଡ଼ି କରିବାକୁ ବାଲେଶ୍ବର ଓ ମୟୂରଭଞ୍ଜର ଜିଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦେଶ ଦିଆଯାଇଛି। ପଶ୍ଚିମ ବଙ୍ଗରୁ ଓଡ଼ିଶା ଆସିଥିବା ସବୁ ଲୋକଙ୍କୁ ଚେକିଂ କରାଯିବ। ଯେଉଁମାନେ ପଶ୍ଚିମ ବଙ୍ଗରୁ ଓଡ଼ିଶା ଆସିବେ ସେମାନେ ସରକାରଙ୍କ ଇନ୍‌ଷ୍ଟିଚ୍ୟୁସନ୍‌ କ୍ବାରେଣ୍ଟାଇନ୍‌, କ୍ଲଷ୍ଟର ସେଣ୍ଟରରେ ରହିବେ କିମ୍ବା ପେଡ୍‌ କ୍ବାରେଣ୍ଟାଇନ୍‌ରେ ରହିପାରିବେ। ଅପରପକ୍ଷରେ ଯେଉଁମାନଙ୍କ କରୋନା ନେଗେଟିଭ୍ ରିପୋର୍ଟ ଓ ଟିକା ୨ ଡୋଜ୍‌ ନେଇଥିବା ସାର୍ଟିଫିକେଟ୍‌ ଥିବ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ ଏବଂ ସେମାନେ ନିଜ ଘରେ ୧୪ଦିନ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ସେହିପରି ପଶ୍ଚିମ ବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବ। ସମ୍ପୃକ୍ତ ବିମାନ ଯାତ୍ରୀମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ ଅନୁମତି ଦିଆଯିବ ନାହିଁ। କେବଳ ୨ ଡୋଜ୍‌ ଟିକା ନେଇଥିବା ଲୋକ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିପାରିବେ।
ପଶ୍ଚିମବଙ୍ଗ ସୀମାର ଚେକ୍‌ ପୋଷ୍ଟ କରାଯାଇଛି। ସେଠାରୁ ଆସୁଥିବା ସମସ୍ତଙ୍କ ପାଇଁ ମାଗଣାରେ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି। ଶୁକ୍ରବାରଠାରୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ।

Comments are closed.