୧୮ ସମବାୟ ଶୀତଳଭଣ୍ଡାରରୁ ୧୪ ଅଚଳ; ୧୨ ଶୀତଳଭଣ୍ଡାର ଜମି ନିଜସ୍ବ ନୁହେଁ

ଭୁବନେଶ୍ବର: କେଇଦିନ ତଳେ ରାଜ୍ୟରେ ଆଳୁ କିଲୋ ୪୦ ଟଙ୍କା ଛୁଇଁଥିଲା, ପିଆଜ ପହଞ୍ଚିଥିଲା ୭୦ ଟଙ୍କାରେ । ଶୀତଳ ଭଣ୍ଡାର ଅଭାବରୁ ପିଆଜ ମିଶନ, ଆଳୁ ମିଶନରେ ଫିମ୍ପି ଲାଗିଗଲା । ହେଲେ ନୂଆ ଶୀତଳ ଭଣ୍ଡାର ନିର୍ମାଣ ତ ଦୂରର କଥା, ପୁରୁଣା ଶୀତଳଭଣ୍ଡାର ବି ସଚଳ ହୋଇ ପାରିଲା ନାହିଁ । ଅମଳ ବେଳେ ଆଳୁ ପିଆଜ, ପନିପରିବା ଅଭାବୀ ବିକ୍ରି ହେଉଥିବାବେଳେ ତିରୋଟ ସମୟରେ ଆକାଶ ଛୁଆଁ ପନିପରିବା ଦର ରୋକିବାରେ ଯୋଗାଣ ବିଭାଗ ସଫଳ ହୋଇପାରି ନାହିଁ କି ସମବାୟ ବିଭାଗ ଶୀତଳ ଭଣ୍ଡାର ନିର୍ମାଣ କରିପାରି ନାହିଁ ।

ରାଜ୍ୟରେ ସମବାୟ ବିଭାଗ ଅଧୀନରେ ଅଛି ୧୮ଟି ଶୀତଳ ଭଣ୍ଡାର । ଏହା ମଧ୍ୟରୁ ୧୪ଟି ଅଚଳ । ଭୁବନେଶ୍ବରର ପଟିଆଠାରେ ଥିବା ମଲଟି କମୋଡ଼ିଟି କୋଲ୍ଡ଼ ଷ୍ଟୋରେଜ, କଟକ ଜିଲାର ଜଗତପୁରରେ ଥିବା ସମବାୟ ଶୀତଳ ଭଣ୍ଡାର, ପୁରୀ ଜିଲାର ସାତଶଙ୍ଖସ୍ଥିତ ଉତ୍ତରାୟଣି ସମବାୟ ଶୀତଳଭଣ୍ଡାର ଓ ନିମାପଡ଼ା ସମବାୟ ଶୀତଳ ଭଣ୍ଡାର କେବଳ କାର୍ଯ୍ୟକ୍ଷମ ଅଛି । ଏହା ବ୍ୟତୀତ ଅନ୍ୟ ୧୪ଟି ଶୀତଳଭଣ୍ଡାର ଅଚଳ ହୋଇ ପଡ଼ିଛି। କେଉଁଠି ଏହାର ଯନ୍ତ୍ରାଂଶ ଚୋର ନେଇ ଗଲାଣି ତ କେଉଁଠାରେ କଳଙ୍କି ଲାଗିଗଲାଣି ।

ଢ଼େଙ୍କାନାଳ ଜିଲାର ହିନ୍ଦୋଳଠାରେ ଏକ ସମବାୟ ଶୀତଳଭଣ୍ଡାର ସ୍ଥାପନ ହୋଇଥିଲା । ସ୍ଥାନୀୟ ଚାଷୀମାନେ ଏଠାରେ ଫଳ ଓ ପନିପରିବା ସଂରକ୍ଷଣ କରୁଥିଲେ । ମାତ୍ର ଦୀର୍ଘଦିନ ହେଲା ଏହାକୁ କ୍ରାଇମବ୍ରାଞ୍ଚ ସିଜ୍ କରିବା ପରେ ତାହା ବନ୍ଦ ପଡ଼ିଛି । ଜଗତସିଂହପୁର ଜିଲାର ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲାର ବଣେଇରେ ଦୁଇଟି ଶୀତଳଭଣ୍ଡାର ସ୍ଥାପନ ହୋଇଥିଲା । ମାତ୍ର ଯେଉଁ ଜମିରେ ଏହା ସ୍ଥାପନ ହୋଇଥିଲା ତାହା ଶୀତଳଭଣ୍ଡାର ନିମନ୍ତେ ଏଯାଏ ପଞ୍ଜିକରଣ ହୋଇନାହିଁ । ଫଳରେ ଏହି ଦୁଇଟି ଶୀତଳଭଣ୍ଡାର ବନ୍ଦ ।

ରାୟଗଡ଼ାରେ ଏକ ସମବାୟ ଭିତ୍ତିକ ଶୀତଳଭଣ୍ଡାର ସ୍ଥାପନ ହୋଇଥିଲା । ମାତ୍ର କିଛିଦିନ ପରେ ତାହା ବନ୍ଦ ହୋଇ ଯାଇଥିଲା । ଏବେ ତାହାକୁ ମାର୍କଫେଡ଼କୁ ଦିଆଯାଇଛି ଏବଂ ଏହାକୁ ଉନ୍ନତିକରଣ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଉଛି । ମାତ୍ର ଏହା କେବେ କାର୍ଯ୍ୟକ୍ଷମ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

ସବୁଠାରୁ ବିଡ଼ମ୍ବନା ହେଉଛି ଯେଉଁ ସ୍ଥାନରେ ସମବାୟ ଭିତ୍ତିକ ଶୀତଳଭଣ୍ଡାର ସ୍ଥାପନ ହୋଇଛି ଓ ଏଥିପାଇଁ ସରକାରୀ ଅନୁଦାନ ପ୍ରଦାନ କରାଯାଇଛି ସେହି ଜମି ଶୀତଳଭଣ୍ଡାରକୁ ହସ୍ତାନ୍ତର କରାଯାଇନାହିଁ । ଅଚଳ ପଡ଼ିଥିବା ୧୪ଟି  ମଧ୍ୟରୁ ମାତ୍ର ୨ଟି ଶୀତଳଭଣ୍ଡାର ନିଜସ୍ବ ଜମି ଉପରେ ରହିଛି । ଅନ୍ୟ ୧୨ଟିର ଜମି ଏ ପର୍ଯ୍ୟନ୍ତ ସମବାୟ ବିଭାଗ ବା ଶୀତଳଭଣ୍ଡାରକୁ ମିଳିନାହିଁ । ତେଣୁ ନିଜସ୍ବ ଜମି ନ ଥାଇ କିପରି ସମବାୟ ବିଭାଗ ଏହି ସ୍ଥାନରେ ଶୀତଳଭଣ୍ଡାର ନିର୍ମାଣ କଲା ଓ ଏଥିପାଇଁ ଅନୁଦାନ ପ୍ରଦାନ କରାଗଲା ତାହାକୁ ନେଇ ଏବେ ସ୍ବତଃ ପ୍ରଶ୍ନ ଉଠିଛି । ଯେଉଁ ଅଧିକାରୀଙ୍କ ସୁପାରିସରେ ଏହି ସ୍ଥାନରେ ଶୀତଳଭଣ୍ଡାର ନିର୍ମାଣ କରାଯାଇଛି ଓ ବିନା ଜମିରେ ଶୀତଳଭଣ୍ଡାର ନିମନ୍ତେ ଅନୁଦାନ ଦେଇଥିବା ଅଧିକାରୀଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ମଧ୍ୟ ବିସ୍ମୟ ସୃଷ୍ଟି କରିଛି ।

ଅଚଳ ଶୀତଳଭଣ୍ଡାରକୁ ସଚଳ କରିବା ପାଇଁ ଦୀର୍ଘଦିନରୁ ସମବାୟ ବିଭାଗ ଯୋଜନା କରି ଆସିଛି । ୨୦୧୫ ଫେବ୍ରୁଆରୀ ୨୬ ତାରିଖରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଆବଶ୍ୟକସ୍ଥଳେ ଘରୋଇ-ସରକାରୀ ସହଭାଗିତା (ପିପିପି)ରେ ଅଚଳ ଶୀତଳଭଣ୍ଡାରର ପୁନରୁଦ୍ଧାର ଓ ଆଧୁନିକୀକରଣ  ନିମନ୍ତେ ପ୍ରସ୍ତାବ ଦେଇଥିଲା । ମାତ୍ର ଇତିମଧ୍ୟରେ ୭୦ ମାସ ବିତିଗଲାଣି, ତଥାପି ଏହି ଶୀତଳଭଣ୍ଡାରଗୁଡ଼ିକର ଆଧୁନିକୀକରଣ ତ ଦୂରର କଥା ପୁନରୁଦ୍ଧାର ହୋଇପାରି ନାହିଁ।

Comments are closed.