ଭାରତ-ଚୀନ ୧୩ଶ ସାମରିକ କଥାବାର୍ତ୍ତା ବିଫଳ : ଭାରତର ପ୍ରସ୍ତାବରେ ରାଜି ହେଲାନି ଚୀନ

ନୂଆଦିଲ୍ଲୀ : ପୂର୍ବ ଲଦାଖ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦେଖାଯାଇଥିବା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ରବିବାର ଚୁସୁଲ-ମୋଲଡୋ ସୀମାରେ ହୋଇଥିବା ତ୍ରୟୋଦଶ ସାମରିକ କଥାବାର୍ତ୍ତା ବିଫଳ ହୋଇଛି। ଭାରତର ଗଠନମୂଳକ ପ୍ରସ୍ତାବ ଉପରେ ଚୀନ ସମ୍ମତି ପ୍ରକାଶ କରି ନାହିଁ। ଭାରତର ପ୍ରସ୍ତାବରେ ଚୀନ ରାଜି ହୋଇ ନଥିବାବେଳେ ନିଜ ଆଡୁ କୌଣସି ଗଠନମୂଳକ ପ୍ରସ୍ତାବ ଉପସ୍ଥାପନ କରି ନଥିଲା। ତେଣୁ ଏହି କଥାବାର୍ତ୍ତା ଏକ ପ୍ରକାର ନିଷ୍ଫଳ ହୋଇଛି। ଏଲଏସିର ହଟସ୍ପ୍ରିଙ୍ଗ୍ ଓ ଦେଶପାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ନେଇ ଭାରତ ପ୍ରସ୍ତାବ ଦେଇଥିବାବଳେ ଚୀନ ଏହାକୁ ଗ୍ରହଣ କରି ନଥିଲା। ଭାରତ ପଟୁ ସେନାର ୧୪ କ୍ରପସ୍‌ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ପିଜିକେ ମେନନ ନେତୃତ୍ବ ନେଇଥିଲେ।
ଦୁଇ ପକ୍ଷ ମଧ୍ୟରେ ପ୍ରାୟ ସାଢେ ୮ଘଣ୍ଟା ଆଲୋଚନା ହୋଇଥିଲା। ବୈଠକରେ ଭାରତ କହିଥିଲା ଯେ ଚୀନ ଏଲଏସିର ସ୍ଥିତାବସ୍ଥାରେ ଏକପାଖିଆ ହସ୍ତକ୍ଷେପ କରୁଥିବାରୁ ବିବାଦ ଦେଖାଯାଉଛି। ତେଣୁ ଚୀନ ପକ୍ଷ ଏଲଏସିର ସ୍ଥିତାବସ୍ଥା ବଜାୟ ରଖିବା ଦରକାର। ସେହିପରି ଚୀନ ଅଭିଯୋଗ କରିଥିଲା ଯେ ଭାରତ ଯେଉଁ ଦାବି କରୁଛି ତାହା ଯୁକ୍ତିସଙ୍ଗତ ନୁହେଁ। ଭାରତ ଯେଉଁ ପ୍ରସ୍ତାବ ଦେଉଛି ତାହା ଅବାସ୍ତବ। ଏହି ଅବାସ୍ତବ ପ୍ରସ୍ତାବ ଉପରେ ବୁଝାମଣା କରିବା ସମ୍ଭବ ନୁହେଁ। ସୀମା ବିବାଦକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ନେଇ ନିକଟରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଅାଲୋଚନା କରିଥିଲେ। ଆଲୋଚନା ଆଧାରରେ ସାମରିକ କଥାବାର୍ତ୍ତା ହୋଇଥିଲା।

Comments are closed.