୧୩୮ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ

ରାତିଅଧିଆ ଅଭିଯାନ, ୨୩୨ଟି ଗାଡ଼ି ଅଟକ, ୨୧୬ ଚାଳକ ଗିରଫ

ଭୁବନେଶ୍ବର : ସଡ଼କ ଦୁର୍ଘଟଣା ହ୍ରାସ କରିବା ଓ ମଦ୍ୟପ ଗାଡି ଚାଳକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲାପାଳ ଓ ଏବଂ ପୁଲିସ ଅଧୀକ୍ଷକଙ୍କୁ ଏକ ମାସ ପାଇଁ ନିୟମିତ ଧରପଗଡ଼ କରିବା ଲାଗି ନିର୍ଦେଶ ଦିଆଯାଇଥିଲା।
ରାଜ୍ୟରେ କରୋନା ପ୍ରତିବନ୍ଧକ ହଟିବା ପରେ ନିଶାଦ୍ରବ୍ୟ ସେବନ ବ୍ୟାପକ ବଢ଼ିଛି। ସେହିପରି ମଦ୍ୟପ ଚାଳକଙ୍କ ସଂଖ୍ୟା ଆପାତତଃ ବୃଦ୍ଧି ପାଇଛି। ଅନେକ ଦୁର୍ଘଟଣାର କାରଣ ନିଶାସେବନ ହୋଇଥିବାରୁ ପରିବହନ ବିଭାଗ ଏବଂ ରାଜ୍ୟ ପୁଲିସ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ଏକ ସ୍ବତନ୍ତ୍ର ଅଭିଯାନରେ ଗତ ଶନିବାର ରାତିରେ ଯାଞ୍ଚ କରିଥିଲା। ଗୋଟିଏ ରାତିରେ ରାଜ୍ୟରେ ୨୫୧ ଚାଳକ ମଦ୍ୟପାନ କରି ଗାଡିଚଳାଉ ଥିବା ଚିହ୍ନଟ କରାଯାଇଥିଲା। ସାରା ରାଜ୍ୟରେ ହୋଇଥିବା ଏହି ମିଳିତ ଅଭିଯାନରେ ପ୍ରାୟ ୨୬୦୦ରୁ ଅଧିକ ଚାଳକଙ୍କୁ ଯାଞ୍ଚ କରାଯାଇଥିଲା। ନିଃଶ୍ବାସ ବିଶ୍ଳେଷଣକାରୀ(ବ୍ରେଥ୍‌ ଆନାଲାଇଜର) ଯନ୍ତ୍ରରେ ପରୀକ୍ଷା କରାଯାଇଥିଲା।
ସଡ଼କ ସୁରକ୍ଷା ଉପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଗଠିତ କମିଟିର ନିର୍ଦେଶନାମା ଅନୁଯାୟୀ ୧୩୮ ଚାଳକଙ୍କ ଲାଇସେନ୍ସକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ପୁଲିସ ଏବଂ ଆଞ୍ଚଳିକ ପରିବହନର କର୍ମଚାରୀମାନେ ୨୩୨ଟି ଗାଡିକୁ ଅଟକ ରଖିଥିଲେ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୧୬ ମଦ୍ୟପ ଚାଳକଙ୍କୁ ପୁଲିସ ଗିରଫ କରାଯାଇଥିବା ଜଣାପଡିଛି।
ମୋଟରଯାନ ଆଇନର ସଂଶୋଧନରେ ମଦ୍ୟପ ଚାଳକଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ପ୍ରଦାନ କରାଯିବା ସହିତ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଗଣି‌େବ‌। ଦ୍ବିତୀୟ ଥର ଲାଗି ସମାନ ଅପରାଧ ଦୁଇବର୍ଷ ମଧ୍ୟରେ କଲେ ତାଙ୍କୁ ଦୁଇବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧୫,୦୦୦ ହଜାର ଟଙ୍କା ଜୋରିମାନା ଦେବାକୁ ହେବ। କଡା ନିୟମ ଏବଂ ନିୟମାବଳୀ ସତ୍ତ୍ୱେ, ଭାରତରେ ସଡ଼କ ଦୁର୍ଘଟଣା ପଛରେ ମଦ୍ୟପାନ ଏକ ପ୍ରମୁଖ କାରଣ ହୋଇଛି। ୨୦୨୦ରେ ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ଓଡିଶାରେ ୬୪୮ଟି ସଡକ ଦୁର୍ଘଟଣା ଘଟିଥିଲା। ଏଥିରେ ସମୁଦାୟ ୨୯୮ ଜଣଙ୍କ ପ୍ରାଣ ଯାଇଥିଲା। କରୋନା ମହାମାରୀ ସମୟରେ ଓଡିଶା ସରକାର ନିଃଶ୍ୱାସ ବିଶ୍ଳେଷଣକାରୀ ଯାଞ୍ଚ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ଏହାକୁ ରଖିଥିଲେ, ଏବେ ନିୟମିତ ଭାବେ ଏହି ଅଭିଯାନ ଆରମ୍ଭ କରିବାକୁ ପ୍ରବର୍ତ୍ତନ ଦଳକୁ ନିର୍ଦେଶ ଦିଆଯାଇଛି।
୧୩୮ ଡ୍ରାଇଭିଂ…

Comments are closed.