ଶ୍ରୀମନ୍ଦିର କବାଟ ପାଇଁ ପହଞ୍ଚିଲା ୧୭ପେଟି ରୁପାଚଦର

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ୮ଟି ଦୁଆର କବାଟରେ ଲଗାଯିବ ରୁପାଚଦର। ମୁମ୍ବଇର ଜଣେ ଜଗନ୍ନାଥପ୍ରେମୀ ଭକ୍ତ ଶୁକ୍ରବାର ଏଥିପାଇଁ ୧୩୪୫ କିଲୋ ରୁପାଚଦର ପଠାଇଛନ୍ତି। ୧୭ଟି ପେଟିରେ ରୁପାଚଦର ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ନୀଳାଦ୍ରି ଭକ୍ତ ନିବାସରେ ନୂଆ କାଠ କବାଟ ନିର୍ମାଣ କରାଯାଉଛି। ଶ୍ରୀମନ୍ଦିର ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ସାତପାହାଚ ଦ୍ବାର, ବେହେରଣ ଦ୍ବାର, ଭୋଗମଣ୍ଡପ ଦ୍ବାର ସମେତ ଆଦିନୃସିଂହ, ବିମଳା ଏବଂ ମହାଲକ୍ଷ୍ମୀ ମନ୍ଦିର କବାଟରେ ରୁପାଚଦର ପକାଯିବ। ପ୍ରଥମ ପର୍ଯ୍ୟାୟରେ ୪ଟି କବାଟ ନିର୍ମାଣ କରାଯାଉଛି। ଶନିବାରଠାରୁ ସେଥିରେ ରୁପାଚଦର ପକାଯିବା ସମ୍ଭାବନା ରହିଛି। ଆଠଟି ଦୁଆର କବାଟରେ ରୁପାଚଦର ପକାଇବା ପାଇଁ ପ୍ରାୟ ୨୦୦୦ କିଲୋ ରୁପା ଆବଶ୍ୟକ ପଡିବ। ଏହାକୁ ଯୋଗାଇ ଦେବାପାଇଁ ଜଣେ ଭକ୍ତ ଆଗ୍ରହ ପ୍ରକାଶ କରିଛନ୍ତି। କଳିଙ୍ଗ ସ୍ଥାପତ୍ୟର ସୌଖୀନ କାରୁକାର୍ଯ୍ୟ ରୁପାଚଦରରେ ଦେଖିବାକୁ ମିଳିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଓ ଶ୍ରୀମନ୍ଦିର ପରିଚାଳନା କମିଟି ତାହାକୁ ଅନୁମୋଦନ କରିଛନ୍ତି।

Comments are closed.