୧୩ ଆତଙ୍କବାଦୀ ନିପାତ, ୬ ଗିରଫ

ଜାମ୍ମୁ : ଆତଙ୍କବାଦୀ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ଗୋଟିଏ ଦିନରେ ୧୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରଥମ ଘଟଣାରେ ଜାମ୍ମୁ-କାଶ୍ମୀରର ରାଜୌରି ଜିଲା ନୌସେରା ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳେ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାବେଳେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଜାମ୍ମୁ-ଡିଭିଜନର ମେନ୍ଧର ସେକ୍ଟର ନିକଟ ନିୟନ୍ତ୍ରଣ ରେଖାରେ ଆଉ ୧୦ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ସମସ୍ତ ୧୩ ଆତଙ୍କବାଦୀ ପାକିସ୍ତାନୀ। ସେମାନେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି। ପିଓକେର ୧୩ଟି ଲଞ୍ଚପ୍ୟାଡରେ ଆତଙ୍କବାଦୀମାନେ ଠୁଳ ହୋଇ ରହିଥିବା ଓ ସେମାନେ ଭାରତ ସୀମାକୁ ଅନୁପ୍ରବେଶ ଅପେକ୍ଷାରେ ଥିବା ନେଇ ରବିବାର ସେନାର ଜଣେ ଅଧିକାରୀ ସତର୍କ ସୂଚନା ଦେଇଥିଲେ। ଅନ୍ୟ ଏକ ଘଟଣାରେ ଜାମ୍ମୁ-କାଶ୍ମୀର ପୁଲିସ ସୋମବାର ବଡଗାଓଁ ଜିଲାରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ୬ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ସଦସ୍ୟମାନେ ଆତଙ୍କବାଦୀଙ୍କ ସହଯୋଗୀ ଭାବେ କାର୍ଯ୍ୟ କରିଆସୁଥିଲେ।
ସୂଚନା ଅନୁଯାୟୀ ପୁଲିସ, ସେନା ଓ ସିଆରପିଏଫର ମିଳିତ ବାହିନୀ ବଡଗାଓଁର ଚଦୁରା ଅଞ୍ଚଳରୁ ଏହି ସଦସ୍ୟଙ୍କୁ ଠାବ କରିବା ସହ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ଏକ ଚାଇନା ପିସ୍ତଲ, ଏକ ହ୍ୟାଣ୍ଡ ଗ୍ରେନେଡ, ଏକ କିଲୋ ହେରୋଇନ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

Comments are closed.