କୋବିଦ ପରିଚାଳନାରେ ବିଫଳତା : କଂଗ୍ରେସ ନେତୃତ୍ବରେ ୧୩ ବିରୋଧୀ ଦଳର ପ୍ରତିବାଦ ସମାବେଶ ୨୬ରେ

ରାଜଧାନୀରେ ମିଳିତ ପ୍ରତିବାଦ ପରେ ରାଜ୍ୟପାଳଙ୍କୁ ଦେବେ ଦାବିପତ୍ର

ଭୁବନେଶ୍ୱର: କୋବିଦ ପରିଚାଳନାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ବଢ଼ି ବଢ଼ି ଚାଲିଛି । ତେଣୁ ଏହାର ପ୍ରତିବାଦ ନିମନ୍ତେ କଂଗ୍ରେସ ନେତୃତ୍ବରେ ଏକାଠି ହୋଇଛନ୍ତି ରାଜ୍ୟର ୧୩ ରାଜନୈତିକ ଦଳ । ଏହି ଦଳଗୁଡ଼ିକ ପକ୍ଷରୁ ଆସନ୍ତା ୨୬ ତାରିଖରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକଠାରେ ମିଳିତ ପ୍ରତିବାଦ ସଭା ଅନୁଷ୍ଠିତ ହେବ ଏବଂ ଏହାପରେ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଏଥିପାଇଁ ଜୟଦେବ ବିହାର ସ୍ଥିତ ଉତ୍କଳମଣି ସଭାକକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଭିନ୍ନ ରାଜନୈତିକ ଦଳର ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରାମ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ ସାହୁ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁଥିବା ପ୍ରତିବାଦ ସଭାରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦିମ ପାର୍ଟି, ଅଲ୍ ଇଣ୍ଡିଆ ଫରୁୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନ୍‌ସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଦଳଗୁଡ଼ିକ ସାମଲ ହେବେ ବୋଲି ସୂଚନା ମିଳିଛି ।

ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର  ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକ୍‌ଡାଉନ ଘୋଷଣା କଲେ ।  ଯାହାର ପରିଣାମ ସ୍ୱରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଦିନ ଭିତରକୁ ଠେଲି ହୋଇଗଲେ । ବିଶେଷକରି ପ୍ରବାସୀ ଶ୍ରମିକ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକ ଅକଥନୀୟ ଦୁଃଖ ଏବଂ ନିର୍ଯ୍ୟାତନାର ଶିକାର ହେଲେ । ହଜାର ହଜାର କିଲୋମିଟର ଭୋକ ଉପାସରେ ରାସ୍ତାରେ ଚାଲି ଚାଲି ଗଲାବେଳେ ଅନେକ ଟ୍ରେନ୍‌, ବସ ଚକତଳେ ଚାପି ହୋଇ ମୃତ୍ୟୁବରଣ କରିବାକୁ ବାଧ୍ୟ ହେଲେ ।  ଅନୁରୂପ ଭାବରେ  ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଦିନ ଭିତରକୁ ଠେଲି ଦେଇଛନ୍ତି । କୋଭିଡ କବଳରୁ ଜୀବନକୁ ରକ୍ଷାକରିବାର ଆହ୍ୱାନ ଦେଇଥିବା ମୁଖ୍ୟମନ୍ତ୍ରୀ ବାସ୍ତବରେ ଏ ମହାମାରୀକୁ ମୁକାବିଲା କରିବା କ୍ଷେତ୍ରରେ ପ୍ରଚାର ତୁଳନାରେ ଆବଶ୍ୟକୀୟ ଆନ୍ତରିକତା ଦେଖାଉ ନାହାନ୍ତି । ସ୍ୱୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ହଜାର ଟେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ୩ ହଜାର କୋଭିଡ ଟେଷ୍ଟିଂ ହେଉ ନାହିଁ । ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କର କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି । ସେମାନେ ଟେଷ୍ଠିଂ ପାଇଁ ଅନୁରୋଧ କଲାପରେ ମଧ୍ୟ ତାହା ନକରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି । ଫଳରେ ଗୋଷ୍ଠି ସଂକ୍ରମଣ ରାଜ୍ୟରେ ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଛି ବୋଲି କୁହାଯାଇଛି ।

Comments are closed.