୧୩ କରୋନା ଯୋଦ୍ଧା ମୃତ ଶିକ୍ଷକଙ୍କ ପରିବାରକୁ ମିଳିବ ସହାୟତା : ସମୀର ରଞ୍ଜନ ଦାଶ

ଭୁବନେଶ୍ଵର : ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି। ଏହାରି ମଧ୍ୟରେ ରାଜ୍ୟରୁ ୬୭ ହଜାର ୧୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୨ ଜଣଙ୍କର ମୃତ୍ୟୁ ହୋଇ ସାରିଛି। ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଉଦ୍ୟମ କରୁଥିବା ବେଳେ ଡାକ୍ତର, ଆଶକର୍ମୀ, ନର୍ସ, ସଫେଇ କର୍ମଚାରୀଙ୍କ ସହ ଶିକ୍ଷକମାନେ ମଧ୍ୟ ସରକାରଙ୍କୁ ସହଯୋଗ କରୁଛନ୍ତି।
ଏହାରି ମଧ୍ୟରେ ରାଜ୍ୟରେ ୬୨ ହଜାର ଶିକ୍ଷକ କରୋନା ମୁକାବିଲାରେ ନିୟୋଜିତ ଅଛନ୍ତି। କରୋନା ମୁକାବିଲାରେ ନିୟୋଜିତ ଥିବା ରାଜ୍ୟରେ ୧୩ ଜଣ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ତବେ କରୋନାରେ ପ୍ରାଣ ହରାଇଥିବା ସମସ୍ତ ଶିକ୍ଷକଙ୍କ ପରିବାରକୁ ୪ ଅଗଷ୍ଟର ସର୍କୁଲାର ଅନୁଯାୟୀ ସମସ୍ତଙ୍କୁ ସରକାରୀ ସହାୟତା ଦିଆଯିବ। ସମସ୍ତଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇ ଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଅନ୍ୟପକ୍ଷରେ ମୃତ ଶିକ୍ଷକ ସୀମାଞ୍ଚଳ ଶତପଥୀଙ୍କ ପରିବାରରେ କେହି ନଥିବାରୁ ବିକଳ୍ପ ଚିନ୍ତା କରାଯିବ ବୋଲି ସେ କହିଛନ୍ତି । ସୀମାଞ୍ଚଳଙ୍କ ମୃତ୍ୟୁ ପରେ ତାଙ୍କ ବାପା ଓ ମା ଆତ୍ମହତ୍ୟା କରିଥିଲେ । ତାଙ୍କ ପରିବାର ପାଇଁ କଣ କରାଯାଇପାରିବ ସେ ନେଇ ଚିନ୍ତା କରାଯାଉଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।