ମୋଦୀଙ୍କ ଏହି ୧୩ ଚର୍ଚ୍ଚିତ ମନ୍ତ୍ରୀ, ଯେଉଁମାନଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ମିଳିଲାନି ସୁଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ବିଚାରବିମର୍ଶ କରି ନିଜର ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସବୁ ବର୍ଗର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ରଖିବା ଲାଗି ଗୁରତ୍ଵ ଦିଆଯାଇଛି। କେତେଜଣ ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବାବେଳେ ଅନେକ ଅନୁଭବୀ ମଧ୍ୟ ରହିଛନ୍ତି। କିନ୍ତୁ ଏଥର ଅନେକ ବଡ଼ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ, ଯେଉଁମାନେ ପୂର୍ବ ସରକାରରେ ମନ୍ତ୍ରୀ ରହିଥିଲେ। ସେଭଳି କିଛି ମନ୍ତ୍ରୀଙ୍କୁ ବାଦ୍‌ ଦିଆଯିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସନ୍ତୁ ଜାଣିବା ସେହି ମନ୍ତ୍ରୀମାନଙ୍କ ବିଷୟରେ:-

ସୁଷମା ସ୍ବରାଜ: ୦୧୪ରେ ଏନଡିଏ ସରକାର ଗଢ଼ିବା ସମୟରେ ସୁଷମା ସ୍ବରାଜଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଦିଆଯାଇଥିଲା। ସୁଷମା ଗତ ୫ବର୍ଷ ଧରି ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ। ଲୋକମାନେ ସିଧାସଳଖ ଟ୍ବିଟରରେ ସହାୟତା ମାଗୁଥିଲେ ଏବଂ ସେ ସହଯୋଗ କରୁଥିଲେ। କିନ୍ତୁ ନୂଆ ସରକାରରେ ସୁଷମାଙ୍କୁ ସାମିଲ କରାଯାଇ ନାହିଁ। ଅନ୍ୟପଟେ ସେ ବି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସରକାରରେ ସାମିଲ ହେବାକୁ ମନା କରିଦେଇଥିଲେ।

ଅରୁଣ ଜେଟଲୀ: ପୂର୍ବ ସରକାରରେ ଅରୁଣ ଜେଟଲୀ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ଵରେ ଥିଲେ। କିନ୍ତୁ ଏହି ସରକାରରେ ସେ ମନ୍ତ୍ରିମଣ୍ଡଳ ବାହାରେ ରହିଛନ୍ତି। ଖୋଦ ଅରୁଣ ଜେଟଲୀ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମନ୍ତ୍ରିମଣ୍ଡଳରୁ ଦୂରରେ ରହିବାକୁ ନିବେଦନ କରିଥିଲେ।

ମହେଶ ଶର୍ମା: ମହେଶ ଶର୍ମା ପୁଣି ଥରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧନଗର ଆସନରୁ ବିଜୟୀ ହୋଇ ସଂସଦରେ ପହଞ୍ଚିଛନ୍ତି। ପୂର୍ବ ସରକାରରେ ସେ କେନ୍ଦ୍ରୀୟ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ। ମାତ୍ର ନୂଆ ସରକାରରେ ତାଙ୍କୁ ସାମିଲ କରାଯାଇ ନାହିଁ। ମନ୍ତ୍ରିମଣ୍ଡଳରେ ତାଙ୍କ ନାମକୁ ବାଦ୍‌ ଦିଆଯାଇଛି।

ସୁରେଶ ପ୍ରଭୁ: ଗତ ସରକାରରେ ସୁରେଶ ପ୍ରମୁଙ୍କୁ ପ୍ରଥମେ ରେଳମନ୍ତ୍ରୀ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପଦ ମିଳିଥିଲା। କିନ୍ତୁ ଏ​‌ବେ ନୂଆ ସରକାରରେ ସୁରେଶ ପ୍ରଭୁଙ୍କୁ ସ୍ଥାନ ମିଳିନାହିଁ।

ଜେ.ପି. ନଡ୍ଡା: ମୋଦୀ ସରକାରଙ୍କ ପୂର୍ବ କାର୍ଯ୍ୟକାଳରେ ନଡ୍ଡା ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ। ଏଥର କିନ୍ତୁ ତାଙ୍କୁ ମନ୍ତ୍ରୀ ପଦ ଦିଆଯାଇନାହିଁ। ଆଶା କରାଯାଉଛି ଯେ, ଏଥର ତାଙ୍କୁ ଅମିତ ଶାହଙ୍କ ସ୍ଥାନରେ ଅବସ୍ଥାପିତ କରାଯିବ। ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟବର୍ଦ୍ଧନ ସିଂହ ରାଠୋର: ପୂର୍ବତନ ଅଲିମ୍ପିଆନ ତଥା ପୂର୍ବ ସରକାରରେ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟରେ ସଫଳତାର ସହ କାର୍ଯ୍ୟ କରିଥିବା ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଏଥର ମନ୍ତ୍ରିମଣ୍ଡରେ ସ୍ଥାନ ପାଇନାହାନ୍ତି। ମୋଦୀ କ୍ୟାବିନେଟରେ ତାଙ୍କୁ ସାମିଲ କରାଯାଇନାହିଁ।

ମେନକା ଗାନ୍ଧୀ: ଏଥର ମେନକା ଗାନ୍ଧୀ ସୁଲତାନପୁର ଲୋକସଭା ଆସନରେ ବିଜୟୀ ହୋଇଥିଲେ। ପୂର୍ବ ନିର୍ବାଚନରେ ସେ ପିଲିଭିତ ଆସନରୁ ଜିତିଥିଲେ ଏବଂ ତାଙ୍କୁ କେନ୍ଦ୍ର ମନ୍ତ୍ରୀ କରାଯାଇଥିଲା। କିନ୍ତୁ ଏଥର ନୂଆ ସରକାରରେ ତାଙ୍କୁ ସ୍ଥାନ ମିଳିନାହିଁ।

ଜୟନ୍ତ ସିହ୍ନା: ପୂର୍ବ ୫ବର୍ଷରେ ଜୟନ୍ତ ସିହ୍ନା ପ୍ରଥମେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ଵ ପାଇଥିଲେ। ପରେ ତାଙ୍କୁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଥିଲା। ମାତ୍ର ଏଥର ତାଙ୍କୁ ବି ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ନାହିଁ। ଜୟନ୍ତ ସିହ୍ନା ବିଜେପିର ପୂର୍ବତନ ନେତା ଯଶୱନ୍ତ ସିହ୍ନାଙ୍କ ପୁଅ।

ଉମା ଭାରତୀ: ବିଜେପିର ଫାୟାର ବ୍ରାଣ୍ଡ ନେତା ହେଉଛନ୍ତି ଉମା ଭାରତୀ। ଗତ ସରକାରରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦ ମିଳିଥିଲେ ହେଁ ଏଥର ନୂଆ ସରକାରର ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନାହିଁ।

ସେହିପରି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିବା ଅନ୍ୟ ପ୍ରମୁଖ ସାଂସଦମାନେ ହେଉଛନ୍ତି, ମନୋଜ ସିହ୍ନା, ରାମକୃପାଲ ଯାଦବ, ଅନନ୍ତ କୁମାର ହେଗଡେ, ଶିବ ପ୍ରତାପ ଶୁକ୍ଳା।

Comments are closed.