ଇଞ୍ଜେ‌କ୍ସନ୍‌ ନେଇ ୧୨ ରୋଗୀ ଗୁରୁତର

ପୁରୀ : ଜିଲା ମୁଖ୍ୟ ଚିକିତ୍ସାଳୟ ଭେଷଜ ୱାର୍ଡରେ ଇଞ୍ଜେ‌କ୍ସନ୍‌ ନେବାପରେ ଶନିବାର ୧୨ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଛି। ସେଥିରୁ ୨ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟବହୃତ ଇଞ୍ଜେ‌କ୍ସନ୍‌ ଗୁଡ଼ିକର କାଚ ଶିଶି ଜବତ କରାଯାଇଛି। ବିବାଦୀୟ ଇଞ୍ଜେ‌କ୍ସନ୍‌ ଅନ୍ୟ କୌଣସି ରୋଗୀଙ୍କୁ ନଦେବା ପାଇଁ ଡାକ୍ତର ଏବଂ ନର୍ସଙ୍କୁ ନିର୍ଦେଶ ଦିଆଯାଇଛି।

ଶନିବାର ଅପରାହ୍ଣ ୪ଟାରେ ଜଣେ ଡାକ୍ତର ଭେଷଜ ୱାର୍ଡ ପରିଦର୍ଶନ କରିଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ, ୧୨ଜଣ ଚିକିତ୍ସାଧୀନ ରୋଗୀଙ୍କୁ ଦାୟିତ୍ବରେ ଥିବା ନର୍ସ ଇଞ୍ଜେ‌କ୍ସନ୍‌ ଦେଇଥିଲେ। ଏହାର କିଛି ସମୟ ପରେ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ସେମାନଙ୍କର ବାନ୍ତି ହେବା ସହ ହଠାତ୍‌ ଜ୍ବର ହୋଇଥିଲା। ଯନ୍ତ୍ରଣା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇଥିଲା। ଏହାପରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ୱାର୍ଡରେ ପାଟିତୁଣ୍ଡ କରିଥିଲେ। ଡା. ଅଶୋକ କୁମାର ପରିଡ଼ା ଏବଂ ଡା. ଶାନ୍ତନୁ କୁମାର ଜେନାଙ୍କୁ ସଙ୍ଗେ ସଙ୍ଗେ ସେଠାକୁ ପଠା ଯାଇଥିଲା। ବ୍ୟବହୃତ ଇଞ୍ଜେ‌କ୍ସନ୍‌ ର ବ୍ୟବହାର ଅବଧି ୨୦୨୨ ପର୍ଯ୍ୟନ୍ତ ରହିଛି। ରୋଗୀଙ୍କ ପୀଡ଼ା ଲାଘବ ପାଇଁ ଦିଆଯାଇଥିବା ଇଞ୍ଜେ‌କ୍ସନ୍‌ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ସଂକଟାପନ୍ନ କରିଛି। ରୋଗୀଙ୍କୁ ନକଲି ଏବଂ ନିମ୍ନମାନର ଇଞ୍ଜେ‌କ୍ସନ୍‌ ଦିଆଯିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ରୋଗୀଙ୍କ ସହାୟକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଚପାଇ ଦେବାପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଦିଆଯାଇଥିବା ଇ​‌େ​‌ଞ୍ଜକ୍ସନ୍‌ ବିକ୍ରି ତୁରନ୍ତ ବନ୍ଦ କରାଯିବା ସହ ତା’ର ମାନ ପରୀକ୍ଷା କରାଯିବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଏଡିଏମ୍‌ଓ (ମେଡିକାଲ) ପ୍ରଣବ ଶଙ୍କର ଦାସ କହିଛନ୍ତି, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତା’ର ତଦନ୍ତ କରାଯାଉଛି। ଇଞ୍ଜେ‌କ୍ସନ୍‌ ନେଇଥିବା ୨ଜଣ ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଅନ୍ୟ ରୋଗୀଙ୍କୁ ଏହି ଇଞ୍ଜେ‌କ୍ସନ୍‌ ନ ଦେବା ପାଇଁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।
ଭେଷଜ ନିରୀକ୍ଷକ ସତ୍ୟବ୍ରତ ଗିରି ଘଟଣାସ୍ଥଳରେ ପହଞ୍ଚି ଇଞ୍ଜେ‌କ୍ସନ୍‌ ନମୁନା ସଂଗ୍ରହ କରିଛନ୍ତି। ଡାକ୍ତରଖାନାରେ ମହଜୁଦ ଥିବା ଅବଶିଷ୍ଟ ଇଞ୍ଜେ‌କ୍ସନ୍‌ ଜବତ କରାଯାଇଛି।

Comments are closed.